ବୁଲୁଛି ବାଘ, ଗାଈ, ବାଛୁରୀଙ୍କୁ ଉଠାଇ ନେଉଛି


ଗଞ୍ଜାମ: ଉତ୍ତରଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ଅଞ୍ଚଳରେ ବାଘ ଆତଙ୍କ । ଲୁଚିଛପି ଆସୁଛି, ଗୁହାଳରୁ ଗାଈ ଓ ବାଛୁରୀକୁ ଟାଣି ନେଇଯାଉଛି । ରବିବାର ବାଘର ଶିକାର ହୋଇଛନ୍ତି ଗୋଟିଏ ଗାଈ ଓ ବାଛୁରୀ । ସପଙ୍ଗ ଗାଁର କୈଳାସ ନାୟକ ଗାଈ, ବାଛୁରୀକୁ ବାଘ ଉଠାଇ ନେିଥିବା ଅଭିଯୋଗ ହୋଇଛି ।

ରବିବାର କୈଳାସ ଗାଈଗୁଡିକୁ ହଜପଲ୍ଲୀ ଜଙ୍ଗଲ ନିକଟରେ ଥିବା ଗୋଠରେ ବାନ୍ଧି ଆସିଥିଲେ । ରବିବାର ରାତିରେ ବର୍ଷା ହେବା ଯୋଗୁଁ ଗୋଠକୁ ଯାଇପାରି ନଥିଲେ । ସୋମବାର ସକାଳେ ଗୋଠକୁ ଯାଇ ଦେଖିଲା ବେଳକୁ ଗାଈଗୁଡିକ ପଘା ଛିଡାଇ ଏପଟ ସେପଟ ବୁଲୁଛନ୍ତି । ଏଥିସହ ଏକ ଗାଈ ଓ ବାଛୁରୀ ନଥିବା ସେ ଜାଣିବାକୁ ଯାଇଥିଲେ । ତେବେ ଗୋଠ ନିକଟରେ ବାଘର ପାଦଚିହ୍ନ ପଡ଼ିଥିବା ମଧ୍ୟ ଦେଖିଥିଲେ । ଏନେଇ ସେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି । ଏଥିସହ ବନ ବିଭାଗ ବାଘର ଉପସ୍ଥିତି ଉପରେ ନଜର ରଖିଛି ।

ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ସନ୍ଧ୍ୟା ହେବା ପରେ ଲୋକେ ଘରୁ ବାହାରକୁ ବାହାରିବାକୁ ଭୟ କରୁଛନ୍ତି ।