ପ୍ରଥମ ଥର ଚାକିରି କରିବାକୁ ଥିବା କର୍ମଚାରୀଙ୍କ ପାଇଁ ବଡ ଘୋଷଣା, ପିଏଫ ଖାତାକୁ ମିଳିବ ୧୫ ହଜାର ଟଙ୍କା


ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଆଗତ କରିଛନ୍ତି । ଏହି ପୂର୍ଣ୍ଣାଙ୍ଗ ବଜଟେରେ ଅର୍ଥମନ୍ତ୍ରୀ ଯୁବକଙ୍କ ପାଇଁ ଅନେକ ଖାସ ଘୋଷଣା କରିଛନ୍ତି । ପ୍ରଥମ ଥର ଚାକିରି ପାଇବାକୁ ଥିବା ଲକ୍ଷାଧିକ ଲୋକଙ୍କୁ ସରକାର ଅତିରିକ୍ତ ପିଏଫର ଲାଭ ଦେବ । ଏଥିପାଇଁ ସରକାର ନିଜ ପକ୍ଷରୁ ତାଙ୍କ ପିଏଫ ଆକାଉଣ୍ଟରେ ୧୫ ହଜାର ଟଙ୍କା ଜମା କରିବେ ।

ଅର୍ଥମନ୍ତ୍ରୀ କହିଛନ୍ତି, ସରକାର ରୋଜଗାରକୁ ପ୍ରୋତ୍ସାହନ ଦେବା ପାଇଁ ତିନି ଯୋଜନାର ଆରମ୍ଭ କରିବେ । ଏହି ଯୋଜନାରେ ପିଏଫର ଅତିରିକ୍ତ ଲାଭ ମିଳିବ । ଅର୍ଥମନ୍ତ୍ରୀ କହିଛନ୍ତି ସରକାର ପ୍ରଥମ ଥର ଚାକିରି କରିବାକୁ ଯାଉଥିବା ଯୁବକଙ୍କୁ ତାଙ୍କ ପିଏଫ ଖାତାରେ ୧୫ ହଜାର ଟଙ୍କା ଜମା କରାଯିବ । ଏହି ଯୋଜନାରେ ୩୦ ଲକ୍ଷ ଯୁବକଙ୍କୁ ଫାଇଦା ମିଳିବ ବୋଲି ଆଶା କରାଯାଉଛି ।

କେନ୍ଦ୍ର ସରକାରଙ୍କ ଏହି ଯୋଜନା ଦେଶରେ ରୋଜଗାର ବୃଦ୍ଧି ହେବାରେ ବେଶ ସହାୟକ ହେବ ବୋଲି ଆଶା କରାଯାଉଛି । ଏହା ବ୍ୟତୀତ ଅର୍ଥମନ୍ତ୍ରୀ ଯୁବକଙ୍କ ପାଇଁ କୌଶଳ ବିକାଶ ଉପରେ ଧ୍ୟାନ ଦିଆଯିବ ବୋଲି ଘୋଷଣା କରାଯାଇଛି । ସେ କହିଛନ୍ତି, ବିନିର୍ମାଣ ସେକ୍ଟରରେ ଯୁବକଙ୍କୁ ପ୍ରୋତ୍ସାହନ ମିଳିବ। ପ୍ରତି ନୂଆ କର୍ମଚାରୀଙ୍କ ପାଇଁ କମ୍ପାନୀଗୁଡିକୁ ୨ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ୩ ହଜାର ଟଙ୍କା ଲେଖାଏଁ ରିମବର୍ସମେଣ୍ଟ ମିଳିବ । ଏଥିରେ ୫୦ ଲକ୍ଷ ଲୋକଙ୍କୁ ଲାଭ ମିଳିବ ।