Supreme Court on Firecrackers: ଦୀପାବଳିରେ ବାଣ ନିୟମ ପାଳନ ନହେବାରୁ ଦିଲ୍ଲୀ ସରକାର ଓ CAQM ଉପରେ ସୁପ୍ରିମକୋର୍ଟଙ୍କ ଅସନ୍ତୋଷ
ନୂଆଦିଲ୍ଲୀ: ଦୀପାବଳି ଭଳି ପର୍ବପର୍ବାଣିରେ ବାଣ ଫୁଟାଇବା ଉପରେ ଲାଗୁ ହୋଇଥିବା ନିୟମ କଡ଼ାକଡ଼ି ପାଳନ ନହେବାକୁ ନେଇ ଦିଲ୍ଲୀ ସରକାର ଓ ବାୟୁ ଗୁଣବତ୍ତା ପରିଚାଳନା କମିଶନ (CAQM)ଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ୍ ଏମ୍.ଏମ୍. ସୁନ୍ଦରେଶ ଓ ଜଷ୍ଟିସ୍ ପି.ବି. ବରାଲେଙ୍କ ଖଣ୍ଡପୀଠ କହିଛନ୍ତି, ନିର୍ଦ୍ଦେଶ ପାଳନ ନହେଲେ ଏହାର କୌଣସି ଅର୍ଥ ରହିବ ନାହିଁ। ବାରମ୍ବାର ନିୟମ ଉଲ୍ଲଂଘନ ହେବା ଏକ ମଜାକ୍ ଭଳି ହୋଇଯାଇଛି। ଆମିକସ୍ କ୍ୟୁରିଙ୍କ ରିପୋର୍ଟ ଅନୁସାରେ, CAQMର ୨୯ଟି ୟୁନିଟ୍ ମଧ୍ୟରୁ ମାତ୍ର ୯ଟି କାର୍ଯ୍ୟକ୍ଷମ ଅଛି।
କେବଳ ବାଣ ବିକ୍ରି ଉପରେ କଟକଣା ଲଗାଇଲେ ସମସ୍ୟାର ସମାଧାନ ହେବ କି ବୋଲି ମଧ୍ୟ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ବ୍ୟବସାୟୀମାନେ ଚାହିଦା ଓ ଯୋଗାଣକୁ ଦେଖି ଅଧିକରୁ ଅଧିକ ବାଣ ବିକ୍ରି କରିବାକୁ ଚେଷ୍ଟା କରିବେ ବୋଲି କୋର୍ଟ କହିଛନ୍ତି। ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ସମସ୍ୟା ଆଲୋକର ପର୍ବକୁ ନେଇ ନୁହେଁ, ବରଂ ବାଣ ଫୁଟାଇବାକୁ ନେଇ। ପୂର୍ବରୁ ଲୋକେ ଦୀପ ଜାଳି ପର୍ବ ପାଳନ କରୁଥିଲେ ଏବଂ ତାହା ମଧ୍ୟ ସୁନ୍ଦର ଥିଲା ବୋଲି କୋର୍ଟ ମତ ଦେଇଛନ୍ତି।
ସାଧାରଣ ଲୋକଙ୍କ ବିରୋଧରେ ବାରମ୍ବାର ମାମଲା କରିବା ସମ୍ଭବ ନୁହେଁ, ତେଣୁ ନିୟମକୁ ଠିକ୍ ଭାବେ ଲାଗୁ କରିବା ହିଁ ଏକମାତ୍ର ଉପାୟ ବୋଲି ଖଣ୍ଡପୀଠ କହିଛନ୍ତି। ଏଥିସହ ବାଣ ଫୁଟାଇବାର କୁପ୍ରଭାବ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ବିରାଟ କୋହଲିଙ୍କ ଭଳି ଜଣାଶୁଣା ବ୍ୟକ୍ତିତ୍ୱଙ୍କ ସହାୟତା ନେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

