Supreme Court on Digital Fraud: ବ୍ୟାଙ୍କର ଅବହେଳାରୁ ଡିଜିଟାଲ୍ ଠକେଇ ହେଲେ ଗ୍ରାହକଙ୍କୁ ଟଙ୍କା ଫେରାଇବାକୁ ପଡ଼ିବ, କଡ଼ା ନିୟମ ଲାଗୁ ପାଇଁ RBIକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ
ନୂଆଦିଲ୍ଲୀ: ଡିଜିଟାଲ୍ ଠକେଇ ମାମଲାରେ ବ୍ୟାଙ୍କଗୁଡ଼ିକର ଦାୟିତ୍ୱ ନିର୍ଦ୍ଧାରଣ କରିବା ଉପରେ ସୁପ୍ରିମକୋର୍ଟ ଜୋର୍ ଦେଇଛନ୍ତି। ଯଦି ତଦନ୍ତରୁ ଜଣାପଡ଼େ ଯେ, ବ୍ୟାଙ୍କର ଆବଶ୍ୟକ ଯାଞ୍ଚ ଓ ସତର୍କତାର ଅଭାବ ଯୋଗୁଁ ଗ୍ରାହକ ଠକେଇର ଶିକାର ହୋଇଛନ୍ତି, ତେବେ ତାଙ୍କୁ ହରାଇଥିବା ଟଙ୍କାର ସମାନ ପରିମାଣର କ୍ଷତିପୂରଣ ଦେବା ପାଇଁ ନିୟମ ରହିବା ଦରକାର ବୋଲି କୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, କେବଳ ଗ୍ରାହକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ହେବ ନାହିଁ, ବ୍ୟାଙ୍କଗୁଡ଼ିକ ମଧ୍ୟ ଠକେଇ ରୋକିବାରେ ନିଜ ଦାୟିତ୍ୱ ପାଳନ କରିବାକୁ ପଡ଼ିବ। ନିୟମ ନମାନିଲେ ବ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ମଧ୍ୟ ରହିବା ଆବଶ୍ୟକ।
କୋର୍ଟଙ୍କ ମତରେ, ଗ୍ରାହକଙ୍କ ଆକାଉଣ୍ଟରେ ପୂର୍ବରୁ ହେଉଥିବା କାରବାର ଓ ହଠାତ୍ ହେଉଥିବା ବଡ଼ ଟଙ୍କାର ଟ୍ରାଞ୍ଜାକ୍ସନ୍ ମଧ୍ୟରେ ଅସ୍ୱାଭାବିକ ପାର୍ଥକ୍ୟ ଦେଖାଗଲେ ବ୍ୟାଙ୍କ ତୁରନ୍ତ ଯାଞ୍ଚ କରିବା ଉଚିତ। ଉଦାହରଣ ସ୍ୱରୂପ, ଜଣେ ସାଧାରଣ ଗ୍ରାହକ ନିୟମିତ ଭାବେ ଅଳ୍ପ ଟଙ୍କାର କାରବାର କରୁଥିବା ବେଳେ ହଠାତ୍ ଲକ୍ଷାଧିକ ଟଙ୍କା ପଠାଇବାକୁ ଚାହିଁଲେ, ବ୍ୟାଙ୍କ ଏହାର କାରଣ ଯାଞ୍ଚ କରିପାରିବା ଦରକାର। ସନ୍ଦେହଜନକ କାରବାରକୁ ସାମୟିକ ଭାବେ ଅଟକାଇବା, ଆବଶ୍ୟକ ସ୍ଥଳେ ଗ୍ରାହକଙ୍କ ସହ ସିଧାସଳଖ ଯୋଗାଯୋଗ କରିବା ଏବଂ ନିକଟସ୍ଥ ଥାନାକୁ ସୂଚନା ଦେବା ଭଳି ବ୍ୟବସ୍ଥା ଉପରେ କୋର୍ଟ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ଆକାଉଣ୍ଟର ପ୍ରକାର ଓ କାରବାର ଢାଞ୍ଚା ଅନୁସାରେ ବର୍ଗୀକରଣ କରି AI ପ୍ରଯୁକ୍ତିର ସହାୟତା ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
ଡିଜିଟାଲ୍ ଆରେଷ୍ଟ୍ ଓ ସାଇବର ଠକେଇ ରୋକିବା ପାଇଁ RBIର ପ୍ରସ୍ତାବିତ KYC ସଂଶୋଧିତ ନିର୍ଦ୍ଦେଶାବଳୀରେ ଏହି ବ୍ୟବସ୍ଥାଗୁଡ଼ିକ ସ୍ପଷ୍ଟ ଭାବେ ରଖିବାକୁ ସୁପ୍ରିମକୋର୍ଟ କହିଛନ୍ତି। ନଭେମ୍ବର ୩୦ ସୁଦ୍ଧା ନୂଆ ନିୟମ ଘୋଷଣା ଏବଂ ଡିସେମ୍ବର ୩୧ ସୁଦ୍ଧା ଲାଗୁ କରିବାର ପ୍ରସ୍ତାବ ରହିଛି। ନିୟମ ପାଳନ ନକଲେ ବ୍ୟାଙ୍କର ଦାୟିତ୍ୱ କ’ଣ ରହିବ ଏବଂ ଠକେଇର ଶିକାର ଗ୍ରାହକ କିପରି କ୍ଷତିପୂରଣ ପାଇବେ, ତାହା ସ୍ପଷ୍ଟ କରିବାକୁ ଖଣ୍ଡପୀଠ କହିଛନ୍ତି। ତେବେ ବ୍ୟାଙ୍କର ଅବହେଳା ପ୍ରମାଣିତ ହେଲେ ହିଁ କ୍ଷତିପୂରଣ ଦେବାର ପ୍ରସ୍ତାବ ରହିଛି; ପ୍ରତ୍ୟେକ ଡିଜିଟାଲ୍ ଠକେଇ ମାମଲାରେ ବ୍ୟାଙ୍କ ସ୍ୱତଃସ୍ଫୂର୍ତ୍ତ ଭାବେ ଟଙ୍କା ଭରଣା କରିବ ବୋଲି କୋର୍ଟ କହିନାହାନ୍ତି।

