ରାଜ୍ୟପାଳଙ୍କୁ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେବନି ବିଜେଡି


ଭୁୁବନେଶ୍ୱର: ବିଧାନସଭା ବଜେଟ୍ ଅଧିବେଶନରେ ତୃତୀୟ ଦିନରେ ବି ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ପ୍ରଶ୍ନକାଳରେ ହଟ୍ଟଗୋଳ କରି କକ୍ଷତ୍ୟାଗ କଲେ ବିଜେଡି ସଦସ୍ୟ । ରାଜ୍ୟପାଳଙ୍କ ପୁଅ ଆଇନକୁ ହାତକୁ ନେଇଥିବା ପ୍ରସଙ୍ଗ ଉଠାଇ ଗୃହରେ ହୋହାଲ୍ଲା କରିଛନ୍ତି । ଏଥିସହ ରାଜ୍ୟପାଳଙ୍କୁ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନ ନେବାକୁ ବିଜେଡି ନିଷ୍ପତ୍ତି ନେଇଛି ।

ଏପରିକି ରାଜ୍ୟପାଳଙ୍କୁ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ବିଜେଡି ଭାଗ ନେବନି । ଗୃହ ବାହାରେ ଏହାର ସୂଚନା ଦେଇଛନ୍ତି ବିଧାୟକ କଳିକେଶ ନାରାୟଣ ସିଂହ ଦେଓ । ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିବୃତି ରଖିବା ଦରକାର । ମୁଖ୍ୟମନ୍ତ୍ରୀ ବିବୃତି ନ ଦେବା ପର୍ଯ୍ୟନ୍ତ ବିଜେଡି ଗୃହ କାର୍ଯ୍ୟରେ ସହଯୋଗ କରିବନି । ଉପ ବାଚସ୍ପତି ନିର୍ବାଚନ ବେଳେ ବିଜେଡି ସଦସ୍ୟ ଭାଗ ନେବେ ।

ଅନ୍ୟପଟେ ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ଗୃହର ମଧ୍ୟଭାଗକୁ ଆସି କଂଗ୍ରେସର ବିଧାୟକମାନେ ମଧ୍ୟ ହଟ୍ଟଗୋଳ କରିଛନ୍ତି । କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇ କଂଗ୍ରେସ ସଦସ୍ୟ ଏହି ହଟ୍ଟଗୋଳ କରିଛନ୍ତି । ସେଥିପାଇଁ ଗୃହକୁ ୧୧ଟା ୩୦ ଯାଏ ମୁଲତବୀ କରାଯାଇଥିଲା ।

ସୂଚନାଯୋଗ୍ୟ, ଗୃହରେ ବିଜେଡି ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଏଏସଓଙ୍କୁ ମାଡ ମାରିବା ପ୍ରସଙ୍ଗ ଉଠାଇ ବିଜେପି ସରକାରକୁ ଘେରୁଥିବା ବେଳେ କଂଗ୍ରେସ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇଛି । ତେଣୁ ଆଜି ତୃତୀୟ ଦିନରେ ବି ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହ ଚାଲି ପାରୁନି ।