ଝିଅକୁ ବିଷ ଦେଇ ମାରିବା ପରେ ଝୁଲି ପଡ଼ିଲେ ବାପା


ନୟାଗଡ଼: ପତ୍ନୀ ଆରପାରିକୁ ଚାଲିଯିବା ପରେ ଝିଅ ପାଇଁ ଦ୍ବିତୀୟ ବିବାହ କଲେ । ହେଲେ ପରିବାରରେ ଆସିଲାନି ପୂର୍ବପରି ଖୁସି । ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଲେ । ହେଲେ ସେ ମରିଯିବା ପରେ ଝିଅର କ’ଣ ହେବ ଚିନ୍ତା କରି କରି ନେଲେ ଚରମ ନିଷ୍ପତ୍ତି । ଆଉ ଝିଅକୁ ବିଷ ଦେଇ ହତ୍ୟା କରିବା ପରେ ଝୁଲିପଡ଼ି ଆତ୍ମହତ୍ୟା କଲେ ବାପା । ଏପରି ଲୋମଟାଙ୍କୁରା ଓ ଚାଞ୍ଚଲ୍ୟକର ଘଟଣା ନୟାଗଡ଼ ସହର ଦେବୋତ୍ତର ଲେନ ୪ରେ । ମୃତ ବାପଝିଅ ହେଲେ ପୁଲକ ବିଶ୍ୱାଳ ଓ ତାଙ୍କ ୫ ବର୍ଷର ଝିଅ ପଲକ ବିଶ୍ୱାଳ ।

ପତ୍ନୀ ଓ ଝିଅଙ୍କୁ ନେଇ ପୁଲକ ବିଶ୍ୱାଳଙ୍କ ସଂସାର ବେଶ ହସଖୁସିରେ ଚାଲିଥିଲା । ମାତ୍ର ଅଚାନକ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଘୋଟି ଆସିଥିଲା କଳା ବାଦଲ । ଝିଅକୁ ନେଇ କିପରି ବାକି ଜୀବନ କାଟିବେ ସେ ଚିନ୍ତା ତାଙ୍କୁ ୩ ମାସ ପୂର୍ବେ ଦ୍ୱିତୀୟ ବିବାହ କରିଥିଲେ ପୁଲକ ।

ଗତ ସୋମବାର ପୁଲକଙ୍କ ଦ୍ୱିତୀୟ ପତ୍ନୀ ବାପ ଘରକୁ ଯାଇଥିଲେ । ବାପ ଘରେ ୨ ଦିନ ରହି ନୟାଗଡ଼ସ୍ଥିତ ସ୍ୱାମୀଙ୍କ ପାଖକୁ ଆସିବା ପରେ ଘର ଭିତରୁ କବାଟ ବନ୍ଦ ଥିଲା । ଭିତରୁ ତାଲା ପଡ଼ିଥିବା ଦେଖି ବହୁ ସମୟ ପର୍ଯ୍ୟନ୍ତ କବାଟ ବାଡେଇଥିଲେ । ପରେ ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ ।

ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନୟାଗଡ଼ ଟାଉନ ଥାନା ପୋଲିସ ବିଳମ୍ବିତ ରାତିରେ ପହଞ୍ଚି ତାଲା ଭାଙ୍ଗି ଘରେ ପଶିଥିଲା । ଘର ଭିତରେ ବାପାର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ୫ ବର୍ଷର ଝିଅର ମୃତଦେହ ବେଡରେ ପଡ଼ି ରହିଥିବା ପୋଲିସ୍‌ ଦେଖିବାକୁ ପାଇଥିଲା ।

ଝିଅକୁ କୌଣସି ବିଷାକ୍ତ ଖାଦ୍ୟ ଦେବା ପରେ ପୁଲକ ଆତ୍ମହତ୍ୟା କରିଥିବା ନେଇ ପୋଲିସ ଅନୁମାନ କରୁଥିବା ବେଳେ ସବୁଦିଗକୁ ନେଇ ତଦନ୍ତ ଜାରୀ ରଖିଛି । ଏଥିସହ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ତେବେ ଏପରି ଚରମ ନିଷ୍ପତ୍ତି ନେବା ପଛର କାରଣ କ’ଣ ତାହା ଜାଣିବାକୁ ତଦନ୍ତ ଆରମ୍ଭ କରିଛି ପୋଲିସ୍‌ । ପଲକଙ୍କ ଦ୍ୱିତୀୟ ପତ୍ନୀ ଓ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁଥିବା ବେଳେ ଆତ୍ମହତ୍ୟା ପଛର ସେପରି କୌଣସି ଠୋସ୍‌ କାରଣ ବାହାର କରି ପାରିନି । ତେବେ ସବୁ କିଛି ଠିକ୍‌ଠାକ ଚାଲିଥିଲେ ଜଣେ ବ୍ୟକ୍ତି କେବେ କି ନିଜ ଝିଅକୁ ମାରି ନିଜେ ଆତ୍ମହତ୍ୟା କରିବା ପରି ପଦକ୍ଷେପ ଗ୍ରହଣ କରିବ ବୋଲି ଆଲୋଚନା ହେଉଛି । ତେଣୁ ସତ କ’ଣ, କ’ଣ ପାଇଁ ପୁଲକ ଏପରି ଅଭାବନୀୟ କାଣ୍ଡ ଘଟାଇଲେ ଓ ନିଜଠୁ ଅଧିକ ଭଲ ପାଉଥିବା ଝିଅର ଜୀବନ ନେବାକୁ ପଛାଇଲେ ନାହିଁ ତାହାର କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରିଛି ପୋଲିସ୍‌ ।