ଭୁବନେଶ୍ବର: ସାମ୍ବାଦିକ ମଧୁସ୍ମିତା ପରିଡ଼ା ମୃତ୍ୟୁକୁ ନେଇ ତାଙ୍କ ପରିବାର ଲୋକେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ମଧୁସ୍ମିତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ତାଙ୍କ ପରିବାର ଲୋକେ ଏହା ମାନିବାକୁ ନାରାଜ । ସ୍ୱାମୀ ଓ ଦେଢ଼ଶ୍ବଶୁର ମିଶି ମଧୁସ୍ମିତାଙ୍କୁ ହତ୍ୟା କରିଥିବା ତାଙ୍କ ବାପା ଓ ଭଉଣୀ ଅଭିଯୋଗ କରିଛନ୍ତି । ମଧୁସ୍ମିତାଙ୍କ ବାପା କହିଛନ୍ତି, ମଧୁସ୍ମିତାର ସ୍ୱାମୀ ଶ୍ରୀଧର ତାଙ୍କ ବଡ଼ ଭାଇକୁ ଭୁବନେଶ୍ୱର ଡାକିଥିଲା । ଦୁଇ ଭାଇ ମିଶି ମୋ ଝିଅକୁ ଦେଇଛନ୍ତି ।
ସେହିପରି ମଧୁସ୍ମିତାଙ୍କ ଭଉଣୀଙ୍କୁ କହିଛନ୍ତି, ବିବାହ ପରେ ଶ୍ରୀଧରଙ୍କ ଅନ୍ୟ ଝିଅଙ୍କ ସହ ସଂପର୍କ ଥିଲା । ବିଳମ୍ବିତ ରାତି ଯାଏଁ ସେ ଝିଅମାନଙ୍କ ସହ କଥା ହେଉଥିଲା । ଏଥିପାଇଁ ମୋ ଭଉଣୀ ଓ ଶ୍ରୀଧରଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ମୋ ଭଉଣୀକୁ ଛାଡ଼ପତ୍ର ଦେଇ ଅନ୍ୟ ଝିଅକୁ ବିବାହ କରିବ ବୋଲି ଯୋଜନା କରୁଥିଲା ଶ୍ରୀଧର । ଶ୍ରୀଧର ଓ ତାଙ୍କ ଭାଇ ମୋ ଭଉଣୀକୁ ଉପରୁ ଠେଲି ମାରି ଦେଇଛନ୍ତି ।
ସେ ଆହୁରି କହିଛନ୍ତି, ମୋ ଭଉଣୀକୁ ବିବାହ କରିବା ପୂର୍ବରୁ ଶ୍ରୀଧର ଅନ୍ୟ ଜଣଙ୍କୁ ବିବାହ କରିଥିଲା । ତାହା ସହ ଛାଡ଼ପତ୍ର ହୋଇସାରିଛି । ଏହି ବିଷୟରେ ଆମ ପରିବାର ଓ ମୋ ଭଉଣୀକୁ ଜଣାନଥିଲା । ଶ୍ରୀଧର ଅନ୍ୟ ଝିଅଙ୍କ ସହ ସଂପର୍କ ରଖିବାକୁ ନେଇ ଦୁଇ ଦିନ ତଳେ ମୋ ଭଉଣୀ ଫିନାଇଲ ପିଇ ଦେଇଥିଲା । ପରେ ଥାନାରେ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲା । ଏହାପରେ ଏହି ଘଟଣା ଘଟିଛି ।
ଅନ୍ୟପକ୍ଷରେ ତାଙ୍କ ଉପରେ ଲାଗିଥିବା ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶ୍ରୀଧର । ସେ କହିଛନ୍ତି, ଥାନାରେ ଆମ ମଧ୍ୟରେ ବୁଝାମଣା ହୋଇଯାଇଥିଲ । ଆମେ ଦୁଇ ଜଣ ଆଉ ଝଗଡ଼ା ଲାଗିବୁନି ବୋଲି ନିଷ୍ପତ୍ତି ନେଇଥିଲୁ । ମୁଁ ମୋ ଭାଇକୁ ଆଣିବାକୁ ଯାଇଥିଲି । ଭାଇକୁ ଆଣି ଫେରିଲା ବେଳେ ଇନଷ୍ଟ୍ରାରେ ମଧୁସ୍ମିତାର ଭିଡିଓ ଦେଖି ମୋ ଭାଇ ମୋତେ କହିଥିଲା । ତା’ପରେ ମୁଁ ତାକୁ ଫୋନ୍ କରିଥିଲି । ହେଲେ ସେ ମୋ ଫୋନ୍ ଉଠାଇ ନଥିଲା । ପରେ ମୁଁ ତାକୁ ମେସେଜ କରିଥିଲି । ତାର ମଧ୍ୟ ସେ ଉତ୍ତର ଦେଇନଥିଲା । ଏହାପରେ ମୁଁ ଥାନାକୁ ଯାଇ ପୋଲିସକୁ ଭିଡିଓ ଦେଖାଇବା ସହ ଘଟଣା ସଂପର୍କରେ ଜଣାଇଥିଲି । ପୋଲିସ ମଧ୍ୟ ତାଙ୍କୁ ଫୋନ୍ କରିଥିଲା । ହେଲେ ସେ ମଧ୍ୟ ଉଠାଇ ନଥିଲେ । ପରେ ଏହ ଘଟଣା ଘଟିଥିଲା ।
ଭୁବନେଶ୍ୱରରେ ଏକ ୱେବ ଚ୍ୟାନେଲରେ କାମ କରୁଥିବା ମଧୁସ୍ମିତା ଭୁବନେଶ୍ୱରର ସାମନ୍ତରାପୁରରେ ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ । ୫ ବର୍ଷର ପ୍ରେମ ସମ୍ପର୍କ ପରେ ଉଭୟ ବିବାହ କରିଥିଲେ । ବିବାହ ପରେ ଶ୍ରୀଧର ଅନ୍ୟ ଝିଅଙ୍କ ସଂପର୍କ ରଖିଥିବା ମଧୁସ୍ମିତା ଅଭିଯୋଗ ଆଣିଥିଲେ । ଏଥିସହ ଛାଡ଼ପତ୍ର ଦେଇ ତାଙ୍କ ସ୍ୱାମୀ ଅନ୍ୟ ଜଣଙ୍କୁ ବିବାହ କରିବା ପାଇଁ ଯୋଜନା କରୁଥିବା ମୃତ୍ୟୁ ପୂର୍ବରୁ ଇନଷ୍ଟ୍ରାରେ ଛାଡ଼ି ଥିବା ଭିଡିଓରେ କହିଥିଲେ । ଏହି ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ ହେଉଛି । ଗତକାଲି ମଧୁସ୍ମିତାଙ୍କ ମୃତଦେହ ବାପୁଜୀ ନଗର ରେଳ ଧାରଣା ନିକଟରୁ ମୃତଦେହ ଉଦ୍ଧାର କରାଯାଇଥିଲା ।