ମା’ ମଝିଘରିଆଣୀଙ୍କ ହୁଣ୍ଡିରୁ ମିଳିଲା କୋଟିଏ ଟଙ୍କା, ୫୩ ଗ୍ରାମ ସୁନା


ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡି ଗତକାଲି ଖୋଲା ଯାଇଥିଲା । ଏଥିରୁ ପ୍ରାୟ ଏକ କୋଟି ଟଙ୍କାର ଦାନ ଅର୍ଥ ମିଳିଛି । ଭକ୍ତ ମା’ଙ୍କୁ ଏହା ଦାନ କରିଛନ୍ତି । ପ୍ରାୟ ୪ ମାସ ପରେ ଗତକାଲି ହୁଣ୍ଡି ଖୋଲା ଯାଇଥିବା ବେଳେ ଏହି ଦାନ ଅର୍ଥ ମିଳିଛି ।

ସ୍ଥାନୀୟ ପୋଲିସର କଡ଼ା ସୁରକ୍ଷା ବଳୟରେ ଗତକାଲି ସକାଳ ୯ଟାରେ ଗଣତି କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିନିମନ୍ତେ ପ୍ରାୟ ୨ ଶହ ସ୍ୱେଚ୍ଛାସେବୀ ନିୟୋଜିତ ହୋଇଥିଲେ । ଏହି ସମୟରେ ଆରଆଇ, ଟ୍ରଷ୍ଟ ବୋର୍ଡ ମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରାୟ ୧୨ ଘଣ୍ଟା କାଳ ଏହି ଗଣତି କାମ ଚାଲିଥିଲା । ଶେଷରେ ଦାନ ହୁଣ୍ଡିରୁ ୯୯ ଲକ୍ଷ ୧୫ ହଜାର ୪୨୨ ଟଙ୍କା, ୫୩ ଗ୍ରାମ ସୁନା, ୨ କେଜିରୁ ଅଧିକ ରୁପା, ବହୁ ବିଦେଶୀ ମୁଦ୍ରା ମିଳିଥିବା ଜଣାଯାଇଛି ।

ଗତ ମାର୍ଚ୍ଚ ୧୮ ତାରିଖରେ ହୁଣ୍ଡି ଖୋଲା ଯାଇଥିଲା । ସେତେବେଳେ ଦାନ ହିସାବରେ ୮୯ ଲକ୍ଷ ୭୨ ହଜାର ୨୨୫ ଟଙ୍କା, ୬୨ ଗ୍ରାମ ସୁନା, ଓ ୨୩ ଶହ ଗ୍ରାମର ରୁପା ଅଳଙ୍କାର ମିଳିଥିଲା । ୬୫ଟି ବିଦେଶୀ ମୁଦ୍ରା ମିଳିଥିଲା ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ କୁହାଯାଇଥିଲା ।