Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଳୁ ଛୁଇଁଲା ୫୦ ଟଙ୍କା, ମମତାଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ପନିପରିବା ପରେ ଏବେ କନ୍ଦାଉଛୁ ଆଳୁ ଦର । ଆଳୁ ଦରରେ ଲାଗିଛି ନିଆଁ । ହୁହୁ ହୋଇ ବଢ଼ି ଚାଲିଛି ଦର। ରାଜଧାନୀରେ କିଲୋ ପିଛା ଦାମ ୫୦ ଛୁଇଁଲାଣି। ସରକାର ମଧ୍ୟ ଆକ୍ସନ ମୋଡରେ । ପଶ୍ଚିମବଙ୍ଗ ଆଳୁ ଟ୍ରକ ଛାଡୁ ନ ଥିବାରୁ ରାଜ୍ୟରେ ସ୍ଥିତି ସଙ୍ଗୀନ ହେବାକୁ ଯାଉଛି । ଏହା ମଧ୍ୟରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗ ମଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

ପଶ୍ଚିମବଙ୍ଗ ସୀମାରେ ଆଳୁ ବୋଝେଇ ଟ୍ରକ ଓଡ଼ିଶା ଆସିପାରୁନଥିବା ଖବର ଗଣମାଧ୍ୟମରୁ ଜାଣିବା ପରେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ତୁରନ୍ତ ସମାଧାନ ପାଇଁ ଉଦ୍ୟମ କରିବାକୁ ମମତା ବାନାର୍ଜୀଙ୍କୁ ଅନୁରୋଧ କରିଛନ୍ତି ନବୀନ। କେମିତି ପଶ୍ଚିମବଙ୍ଗରୁ ଆଳୁ ଓଡ଼ିଶା ବଜାରକୁ ଆସି ପାରିବ ସେନେଇ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ।

ଆଳୁର ଏ ଅହେତୁକ ଦର ବୃଦ୍ଧି ପରେ ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭୁବନେଶ୍ୱର ଆଇଗିଣିଆ ଆଳୁ ଗୋଦାମକୁ ଯାଇ ସ୍ଥିତି ଯାଞ୍ଚ୍ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଏବେ ଯେତିକି ଆଳୁ ମହଜୁଦ ଅଛି, ତାହା ସାତ ଦିନ ଯାଏଁ ରାଜ୍ୟରେ ଆଳୁ ଚାହିଦାକୁ ପୂରଣ କରିପାରିବ। ଆବଶ୍ୟକ ପଡ଼ିଲେ ଉତ୍ତରପ୍ରଦେଶରୁ ଆମଦାନୀ କରାଯିବ ।ପୂର୍ବ ସରକାରଙ୍କ ଯୋଗୁଁ ମଧ୍ୟ ରାଜ୍ୟରେ ଦର ବୃଦ୍ଧି ହେଉଛି। ଆଳୁ, ପିଆଜ ଉତ୍ପାଦନ ସହ ଶୀତଳ ଭଣ୍ଡାର ହୋଇନଥିବାରୁ ଏପରି ସ୍ଥିତି ଉପୁଜିଥିବା କହି ସେ ବିଜେଡି ସରକାର ଉପରେ ବର୍ଷିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ସୂଚନାଯୋଗ୍ୟ ଗତ ୫ ଦିନ ଧରି କଟକ ଛତ୍ର ବଜାରକୁ ଆଳୁ ଟ୍ରକ୍ ଆସିନି। ପ୍ରତିଦିନ କଟକ ଛତ୍ରବଜାରରୁ ୮ରୁ ୯ ଟ୍ରକ୍ ଆଳୁ ଆସିଥାଏ। ହେଲେ ଆଜି ମାତ୍ର ଗୋଟିଏ ଟ୍ରକ୍ ଆସିଛି। ଫଳରେ ଆଳୁ ନେବାକୁ ଛତ୍ରବଜାରରେ ବ୍ୟବସାୟୀଙ୍କ ମଧ୍ୟରେ ପ୍ରବଳ ଭିଡ଼ ସାଙ୍ଗକୁ ଛକାପଞ୍ଝା ଦେଖିବାକୁ ମିଳିଥିଲା। କିଛି ଦିନ ପୂର୍ବେ ଆଳୁ କିଲୋ ପିଛା ୩୫ ଟଙ୍କାରେ ମିଳୁଥିବା ବେଳେ ଏବେ ତାହା ୫୦ ଟଙ୍କାରେ ପହଞ୍ଚିଛି। ଛତ୍ରବଜାରରେ ଆଳୁ କିଲୋ ପିଛା ୫୦ ଟଙ୍କା ଥିବା ବେଳେ ଖୁଚୁରା ମାର୍କେଟରେ ତାହା ୬୦ ଟଙ୍କାରେ ବିକ୍ରି ହେଉଥିବା କହିଛନ୍ତି ବ୍ୟବସାୟୀ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ