ଟୋଲଗେଟରେ ଦୈନିକ ଲକ୍ଷାଧିକ ଟଙ୍କା ଟ୍ୟାକ୍ସ ଆଦାୟ ଓଭର ଲୋଡ଼ ଭାରିଯାନ ଚଳାଚଳ ରାଜରାସ୍ତା ଅବସ୍ଥା ଶୋଚନୀୟ ମରାମତି ଶୁନ ଟୋଲଗେଟରେ ୱେ-ବ୍ରିଜ ସ୍ଥାପନ ପାଇଁ ଦାବି


ଝାରସୁଗୁଡା ୨୭/୭ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୌରାଞ୍ଚଳ ଗାନ୍ଧିଛକ ସ୍ଥିତ ନୂଆଡ଼ିହି ଛକ ନିକଟରେ ନୀତିନିୟମ କୁ ଉଲଂଘନ କରି ୪୯ ନଂ ଜାତୀୟ ରାଜପଥ ଉପରେ ଟୋଲଗେଟ ସ୍ଥାପନ କରା ଯାଇଥିଲା । କିନ୍ତୁ ବ୍ରଜରାଜନଗର ପୌରାଞ୍ଚଳବାସୀ ଏହାକୁ ତୀବ୍ର ବିରୋଧ କରିବା ସହ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ । ଫଳରେ ଉକ୍ତ ଟୋଲଗେଟ ଟି ଲଖନପୁର ବ୍ଲକ ଅନ୍ତର୍ଗତ କଦମଡ଼ିହି ପଞ୍ଚାୟତ ସ୍ଥିତ ଗୋବିନ୍ଦପୁରକୁ ସ୍ଥାନାନ୍ତରିତ ହୋଇ ୨୦୨୨ ଅଗଷ୍ଟ ୨୧ ତାରିଖ ଠାରୁ କାର୍ଯ୍ୟକ୍ଷମ ହୋଇଥିଲା ।
୪୯ ଜାତୀୟ ରାଜପଥ ଦେଇ ଦୈନନ୍ଦିନ ଶହ ଶହ ସଂଖ୍ୟାରେ ଭାରିଯାନ ଗୁଡିକ ବିଭିନ୍ନ ଶିଳ୍ପସଂସ୍ଥା ମାନଙ୍କୁ କଞ୍ଚାମାଲ ପରିବହନ କରୁଛନ୍ତି । ହେଲେ ଅଧିକାଂଶ ଭାରିଯାନ ଗୁଡିକ କ୍ଷମତା ଠାରୁ ଅଧିକ ମାଲ ପରିବହନ କରୁଛନ୍ତି । ଯାହା ଫଳରେ ବିଶେଷ କରି ବେଳପାହାଡ଼ ଠାରୁ ସୀମାନ୍ତ କନକତୋରା ପର୍ଯ୍ୟନ୍ତ ରାଜପଥର ଅଧିକାଂଶ ସ୍ଥାନରେ ଗର୍ତ୍ତ ସୃଷ୍ଟି ହେବା ସହିତ ରାସ୍ତା ଦବିଯାଇ ଅତି ଶୋଚନୀୟ ହୋଇ ପଡିଛି । ଫଳରେ ଦୁର୍ଘଟଣା ମାନ ଘଟି ଅନେକ ନିରୀହ ଲୋକଙ୍କ ଜୀବନ ହାନି ଘଟୁଛି । ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଛି । ଉକ୍ତ ୪୯ ନଂ ରାଜପଥରେ ଯାତାୟାତ କରୁଥିବା ଯାନବାହନ ମାନଙ୍କ ଠାରୁ ଦୈନିକ ଲକ୍ଷାଧିକ ଟଙ୍କା ଟୋଳଟ୍ୟାକ୍ସ ଆଦାୟ କରା ଯାଉଥିଲେ ମଧ୍ୟ ରାସ୍ତାର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ଯାଉନାହିଁ । ଯାହା ଫଳରେ ବେଳପାହାଡ଼ ଠାରୁ କନକତୋରା ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇ ପଡିଛନ୍ତି । ଏପରିକି ଗୋବିନ୍ଦପୁର ଟୋଲଗେଟ ସ୍ଥାନରେ ଖାଳଖମା ସୃଷ୍ଟି ହେବା ସହ ରାସ୍ତାର ଉଭୟ ପାର୍ଶ୍ଵରେ ବିଭିନ୍ନ ପ୍ରକାର ଘାସପତ୍ର ହୋଇ ରାସ୍ତାଟି ବିପଦ ପୂର୍ଣ୍ଣ ଅବସ୍ଥାରେ ରହିଛି । ଏହା ବ୍ୟତୀତ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ତଥା ଦୁଇ ଚକିଆ ଯାନବାହାନ ଯାତାୟାତ ପାଇଁ ମଧ୍ୟ କୌଣସି ସ୍ୱତନ୍ତ୍ର ରାସ୍ତା ନାହିଁ । ଫଳରେ ଗୋବିନ୍ଦପୁର ଟୋଲଗେଟରେ ଲୋକଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଛି । ଏ ପ୍ରସଙ୍ଗକୁ ନେଇ ଲଖନପୁର ବ୍ଲକ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତୁଷାରାମ ପଧାନ, ସମାଜସେବୀ ମହେନ୍ଦ୍ର ବିଶ୍ଵାଳଙ୍କ ସମେତ ସ୍ଥାନୀୟ ଲୋକେ ଗୋବିନ୍ଦପୁର ଟୋଲଗେଟ ଦାୟିତ୍ୱରେ ଥିବା ପ୍ରୋଜେକ୍ଟ ମ୍ୟାନେଜର ଅମିତ ସିଂହଙ୍କୁ ଭେଟି ରାସ୍ତାର ଦୁରାବସ୍ଥା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବା ସହ ଯଥାଶୀଘ୍ର ମରାମତି କରିବା ପାଇଁ ଦାବି କରିଥିଲେ । ଏହା ସହିତ ଉକ୍ତ ରାଜପଥରେ ଅଧିକାଂଶ ଭାରିଯାନ ଗୁଡ଼ିକ କ୍ଷମତା ଠାରୁ ଅଧିକ ଓଜନର ମାଲ ପରିବହନ କରୁଥିବା ଯୋଗୁଁ ରାସ୍ତାର ଅବସ୍ଥା ଏପରି ଶୋଚନୀୟ ହୋଇଥିବା ସାଧାରଣରେ ଅଭିଯୋଗ ହେଉଛି । ତେଣୁ ଗୋବିନ୍ଦପୁର ଟୋଲଗେଟରେ ଏକ ୱେ-ବ୍ରିଜ ସ୍ଥାପନ ପାଇଁ ଦାବି ହେଉଛି ।