ପିଥିଣ୍ଡା ପଥର ଖାଦାନରେ ପୁଣି ବେଆଇନ ପାଉଁଶ ଡମ୍ପିଂ ସରପଞ୍ଚଙ୍କ ସମେତ ଅଞ୍ଚଳବାସୀ ପ୍ରଶାସନର ଦ୍ୱାରସ୍ଥ


ଝାରସୁଗୁଡା ୨୭/୭ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ତହସିଲ ଅନ୍ତର୍ଗତ ସୀମାନ୍ତ ପିଥିଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅମ୍ବାପାଲି ଗାଁ ନିକଟରେ ଥିବା ଏକ ପରିତ୍ୟକ୍ତ ପଥର ଖାଦାନ ପାଣିରେ ବେଆଇନ ଭାବେ ପୁଣି କାରଖାନା ପାଉଁଶ ଡମ୍ପିଂ ହେଉଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ ପ୍ରସଙ୍ଗକୁ ନେଇ ଶୁକ୍ରବାର ଦିନ ପିଥିଣ୍ଡା ସରପଞ୍ଚ ମହେନ୍ଦ୍ର ନାଏକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ,ଏସପି ସ୍ମିଥ ପି ପରମାର , ଜିଲ୍ଲା ପ୍ରଦୂଷଣ ବିଭାଗ ଏବଂ କଣ୍ଡେଇକେଲା ଫାଣ୍ଡି ଅଧିକାରୀଙ୍କୁ ସାକ୍ଷାତ କରି ଏହାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ଲିଖିତ ଦାବି କରିଛନ୍ତି । ଏହି ପ୍ରତିନିଧି ଦଳ ରେ ସ୍ଥାନୀୟ ସରପଞ୍ଚ ମହେନ୍ଦ୍ର ନାଏକ,କନକତୋରା ସରପଞ୍ଚ ସୁଶାନ୍ତ ଚଇନି,ରାମଚନ୍ଦ୍ର ବାରିକ, ସୁବଳ ଦେହେରି, ପ୍ରଭାକର ଖମାରୀ, କନ୍ଦର୍ପ ପଧାନ, ବିଶ୍ୱନାଥ ବାରିକ, ଆକୁଳ ତାଜେନ ପ୍ରମୁଖ ସାମିଲ ଥିଲେ ।
ସୂଚନା ଥାଉକି ଗତବର୍ଷ ମଧ୍ୟ ବିଭିନ୍ନ ଶିଳ୍ପ କାରଖାନାର ବର୍ଜ୍ୟ ପାଉଁଶକୁ ଭାରିଯାନରେ ଆଣି ଉକ୍ତ ଅମ୍ବାପାଲି ପଥର ଖାଦାନରେ ବେଆଇନ ଭାବେ ଡମ୍ପିଂ କରା ଯାଉଥିଲା । ଉକ୍ତ ବେଆଇନ ପାଉଁଶ ଡମ୍ପିଂ କୁ ସ୍ଥାନୀୟ ଜନ ପ୍ରତିନିଧି ତଥା ଅଞ୍ଚଳବାସୀ ତୀବ୍ର ବିରୋଧ କରିଥିଲେ । ପରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଫଳରେ ପାଉଁଶ ଡମ୍ପିଂ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଥିଲା । ଦେଖିବାକୁ ବାକି ରହିଲା ଯେ ଜିଲ୍ଲା ପ୍ରଶାସନ ସ୍ଥାନୀୟ ଲୋକଙ୍କ ନ୍ୟାର୍ଯ୍ୟ ଦାବିକୁ କେତେ ଗୁରୁତ୍ୱ ଦେଉଛି ।