ଡିଜିପିଙ୍କ ହାତରୁ କ୍ଷମତା ଛଡାଇନେଲେ ରାଜ୍ୟ ସରକାର !


ଭୁୁବନେଶ୍ୱର: ନୂଆ ସରକାରଙ୍କ ନୂଆ ନିୟମ। ସରକାର ଗଢିବାର ମାସ ପରେ ପୋଲିସ ବିଭାଗରେ ବଡ ପରିବର୍ତ୍ତନ। ବିଭାଗରେ ବଦଳି ହୋଇନଥିଲେ ମଧ୍ୟ ଛଡାଇ ନିଆଯାଇଛି କ୍ଷମତା। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ କ୍ଷମତାକୁ ସଙ୍କୁଚିତ କରିଦେଇଛନ୍ତି ରାଜ୍ୟ ସରକାର। ବିଜେଡି ଶାସନକାଳରେ ପୋଲିସ ଡିଜି’ ପଦବୀ ନିଜର ଗାରିମା ବଂଚାଇବା ପାଇଁ ସଂଘର୍ଷ କରୁଥିବାବେଳେ ଏବେ ମୋହନ ମାଝୀଙ୍କ ସରକାର ଏହି ପଦବୀର କ୍ଷମତାକୁ ସଙ୍କୁଚିତ କରିଦେଇଛନ୍ତି।

ଗତ ୨୪ ତାରିଖରେ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ଡିଏସପି, ଏଏସପି, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟା, ଡେପୁଟି କମାଣ୍ଡାଣ୍ଡଙ୍କୁ ବଦଳି କରିପାରିବେନି ଡିଜିପି। ଫଳରେ ୨୨ବର୍ଷ ଧରି ଚାଲିଥିବା ଏହି ବ୍ୟବସ୍ଥାରେ ଅଚାନକ ପରିବର୍ତ୍ତନ ହୋଇଛି, ଯାହାକି ପୋଲିସ ବିଭାଗରେ ଗୁଞ୍ଜରଣ ସୃଷ୍ଟି କରିଛି। ସରକାରଙ୍କ ଏହି ନିଷ୍ପତି ଫଳରେ ଡିଜିପିଙ୍କ କ୍ଷମତା ନୁହେଁ ବରଂ ସମ୍ମାନହାନୀ ବୋଲି ପୂର୍ବତନ ଡିଜି ମତ ରଖିଛନ୍ତି।

ବିଜ୍ଞପ୍ତିରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ, ଏଣିକି ଏହି ପଦ ଗୁଡିକରେ ନିଯୁକ୍ତି ଏକ କମିଟି ମାଧ୍ୟମରେ କରାଯିବ। ଯେଉଁ କମିଟିରେ ଗୃହ ବିଭାଗର ସଚିବ ଅଧ୍ୟକ୍ଷ ରହିବେ । ଅନ୍ୟ ଜଣେ ଅଧିକାରୀ ସଦସ୍ୟ ରହିବେ ଏବଂ ଡିଜିପି କମିଟିରେ ମାତ୍ର କେବଳ ସଦସ୍ୟ ହୋଇ ରହିବେ। ତେବେ ୨୦୦୨ ପୂର୍ବରୁ ରାଜ୍ୟ ସରକାରଙ୍କ ହାତରେ ଏହି ଦାୟିତ୍ୱ ରହିଥିଲା। ୨୦୨୨ରେ ଡିଜିପିଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟ ପୋଲିସ ଏଷ୍ଟାବ୍ଲିସମେଣ୍ଟ ବୋର୍ଡ ଏହି ଦାୟିତ୍ୱ ତୁଲାଉଥିଲେ। ତେଣୁ ଗୋଟିଏ ବୋର୍ଡ ଥିବାବେଳେ ଅନ୍ୟ ଏକ କମିଟିର ଆବଶ୍ୟକତା କଣ ରହିଛ ବୋଲି ପ୍ରଶ୍ନ ଉଠିଛି। ଏମିତି ହେଲେ ଆଇଏଏସ ମାନଙ୍କ କ୍ଷମତା ଆହୁରି ବଢିଯିବ ବୋଲି ପୂର୍ବତନ ଡିଜିପି ବିପିନ ବିହାରୀ ମିଶ୍ର କହିଛନ୍ତି ।

ସରକାର ବଦଳିବାପରେ ଅଚାନକ ଡିଜିପିଙ୍କ କ୍ଷମତାକୁ ସଙ୍କୁଚିତ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ମତ ଆସୁଛି। ତେଣୁ ଏହି ବିଜ୍ଞପ୍ତି ନେଇ ସରକାର ପୁନଃ ଆଲୋଚନା କରନ୍ତୁ ବୋଲି ପୂର୍ବତନ ପୋଳିସ ଅଧିକାରୀ ମତ ଦେଇଛନ୍ତି। ତେବେ ବିଜେପି ଏହାକୁ ରାଜ୍ୟ ସରକାରଙ୍କ ନିୟମିତ ନିଷ୍ପତ୍ତି ବୋଲି କହିବା ସହ ବଦଳି କ୍ଷମତାରୁ ଡିଜିପିଙ୍କୁ ବାଦ ଦିଆଯାଇନି କି ଗୃହ ସଚିବ ଏକପାଖିଆ ନିଷ୍ପତ୍ତି ନେଇପାରିବେନି। ବରଂ ଏହାଦ୍ୱାରା ଗୃହ ବିଭାଗର ସୁପରିଚାଳନା ଆହୁରି ଶୃଙ୍ଖଳିତ ହୋଇପାରିବ। କିଏ କହୁଛନ୍ତି, ବଢୁଥିବା ଆଇନଶୃଙ୍ଖଳା ଓ ଅପରାଧ ଭିତରେ ଏହି ନିଷ୍ପତ୍ତି ଅନୁଚିତ। ଆଉ କିଏ କହୁଛନ୍ତି, ଏହାଦ୍ୱାରା ଗୃହ ବିଭାଗରେ ବଦଳି ବ୍ୟବସ୍ଥା ସୁପରିଚାଳିତ ହୋଇପାରିବ।