ଯାଜପୁର ବିଜେଡି ଦୁଇ ଫାଳ, କମୁଛି ବବିଙ୍କ ପତିଆରା; ଡ୍ୟାନି ନୂଆ ଦାବିଦାର


ଭୁୁବନେଶ୍ୱର: ଯାଜପୁର ବିଜେଡିରେ ଫାଟ । ପ୍ରୀତିରଞ୍ଜନ ଘଡେଇ ଓରଫ ଡ୍ୟାନି ଓ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ବଢିବାରେ ଲାଗିଛି । ନିର୍ବାଚନରେ ବିଜେଡିର ଅପ୍ରତ୍ୟାଶିତ ପରାଜୟ ପରେ ବିଜେଡିର ଗଡ କୁହାଯାଉଥିବା ଯାଜପୁରରେ ଦଳର ସ୍ଥିତି ଜଟିଳ ହେବାରେ ଲାଗିଛି । ବବି ଓ ଡ୍ୟାନିଙ୍କ ମଧ୍ୟରେ କଳି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

ଯାଜପୁର ବିଜେଡିରେ ସ୍ଥିତି ଏମିତି ଯେ, ନିକଟରେ ଡ୍ୟାନିଙ୍କ ନେତୃତ୍ୱରେ ବବିଙ୍କ ବୈଠକକୁ ବହିଷ୍କାର କରିଛନ୍ତି ୪ ପ୍ରମୁଖ ନେତା । ସେପଟେ ଡ୍ୟାନିଙ୍କୁ ଚେକ୍ ଦେବାକୁ ପ୍ରମିଳା, ଜିତୁ ଓ ବିଶ୍ୱଙ୍କୁ ନେଇ ବବି ମେଳି କରିଛନ୍ତି । ଆଉ ନିକଟରେ ଜିଲ୍ଲାପାଳ ଓ ଏସପିଙ୍କ ସହ ବୈଠକ ପରେ ବବିଙ୍କ ଦୁର୍ବଳତା ପଦାରେ ପଡିଛି । ଆଉ ଯାଜପୁର ଜିଲ୍ଲାର ଦୁଇ ପରିବାର ପ୍ରଭାବଶାଳୀ ମଧ୍ୟରେ ରାଜନୈତିକ ଶତ୍ରୁତା ବଢିବାରେ ଲାଗିଛି ।

ପ୍ରଫୁଲ୍ଲ ଘଡେଇ ଓ ଅଶୋକ ଦାସଙ୍କ ପରିବାର ଏବେ ମୁହାଁମୁହିଁ ସ୍ଥିତିରେ । ଏବେ ଖୁଲମଖୁଲା ବବିଙ୍କ ମନମୁଖୀ କାମକୁ ଚ୍ୟାଲେଞ୍ଜ କରୁଛନ୍ତି ଡ୍ୟାନି । ନିର୍ବାଚନ ହାରିବା ପରେ ଏବେ ଜିଲ୍ଲା ବିଜେଡି ସଂଗଠନ ଦୁଇ ଫାଳ । ନିଜର ଦବଦବା ଜାହିର କରିବା ପାଇଁ ପ୍ରମିଳା ମଲ୍ଲିକଙ୍କୁ ଢାଲ କରିଛନ୍ତି ବବି । ଦିନ ଥିଲା ଯାଜପୁରର ଜିଲ୍ଲାର ବିଜେଡି କହିଲେ ବବିଙ୍କୁ ବୁଝାଉଥିଲା । କିନ୍ତୁ ନିର୍ବାଚନ ହାରିବା ପରେ ଏବଂ ଗୋଟିଏ ପରେ ଗୋଟିଏ କେଳେଙ୍କାରୀ ଆସିବା ପରେ ବବିଙ୍କ ପତିଆରା କମିବା ସହ ସ୍ଥିତି ଦୋହଲି ଯାଇଛି । ତେବେ ନିଜକୁ ସଂଗଠିତ କରିବା ପାଇଁ ବବି ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ବରି ବିଧାୟକ ବିଶ୍ୱ ମଲ୍ଲିକି, ଯାଜପୁର ବ ିଧାୟିକା ସୁଜାତା ବିଧାୟିକ, ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କୁ ନେଇ କୋଟେରୀ ତିଆରି କରୁଛନ୍ତି. ଏମାନଙ୍କୁ ନେଇ ଯାଜପୁର ଜିଲ୍ଲପପାଲ ଏବଂ ଏସପିଙ୍କ ସହ ରୁଦ୍ଧ ଦ୍ୱ ।ର ବୈଠକ କରିଥିଲେ ବିବ ।

ତେବେ ଏହି ବୈଠକରେ ଦଳର ସବୁ ବରିଷ୍ଠ ନେତା ଉପସ୍ଥିତ ନ ଥିଲେ । ବୈଠକରେ ବରିର ପୂର୍ବତନ ବିଧାୟକ ଅମର ଶତପଥୀ, ସୁକିନ୍ଦାର ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡେଇ ଓରଫ ଡ୍ୟାନି, କୋରେଇର ପୂର୍ବତନ ବିଧାୟକ ଅଶୋକ ବଳ ଏବଂ ବରିର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଯୋଗ ଦେଇ ନ ଥିଲେ । ଜିଲ୍ଲାର ଏହି ଚାରି ନେତାଙ୍କ ଅନୁପସ୍ଥିତିକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏଥର ନିର୍ବାଚନରେ ଅମର, ଅଶୋକ ଓ ସୁନନ୍ଦାଙ୍କ ଟିକେଟ୍ କାଟିବା ପଛରେ ବବିଙ୍କ ହାତ ଥିବା କୁହାଯାଉଛି ।

ଏହା ପୂର୍ବରୁ ନବୀନ ନିବାସରେ ଯାଜପୁର କଳିର ସମାଧାନ ପାଇଁ ବବି ଓ ଡ୍ୟାନିଙ୍କୁ ଡକାଯାଇଥିଲା । ସେଠାରେ ଭିକେ ପାଣ୍ଡିଆନଙ୍କ ଉପସ୍ଥିତିରେ ଦୁଇ ନେତାଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହେବା ସହ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା । ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା । ଏବେ ବବି ଜିଲ୍ଲାପାଳ ଏବଂ ଏସପିଙ୍କ ସହ ଆଲୋଚନା କରି ନିଜ କୋଟେରୀକୁ ସରକାରୀ ସୁରକ୍ଷା ଦେବାକୁ ଚେଷ୍ଟା ଚଳାଇଛନ୍ତି । ତେବେ ଜିଲ୍ଲାପାଳଙ୍କ ସହ ବୈଠକ ପରେ ଏହା ଜଣା ପଡୁଛି ଯେ, ଯାଜପୁରରେ ଆଉ ବବିଙ୍କ ହାକିମାତି ଚଳିବ ନାହିଁ । ତାଙ୍କର ମନମୁଖୀ କାମକୁ ସମସ୍ତେ ଗ୍ରହଣ କରିବେ ନାହିଁ । ସାଂପ୍ରତିକ ସ୍ଥିତିକୁ ଦେଖିଲେ ବବି ଏବେ ଯାଜପୁର ବିଜେଡିର ବସ୍ ନୁହନ୍ତି ବୋଲି କୁହାଯାଉଛି ।