ହାଓ୍ବଡା-ମୁମ୍ବାଇ ଏକ୍ସପ୍ରେସ ଦୁର୍ଘଟଣାରେ ମୃତକ ଦ୍ବୟ ଓଡ଼ିଶାର


ଭୁବନେଶ୍ବର: ଝାଡ଼ଖଣ୍ଡର ରାଜଖରସୁଆଁରେ ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନ୍‌ଚ୍ୟୁତ୍‌ ହୋଇଥିବା ବେଳେ ଏଥିରେ ୨ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ରାଉରକେଲାର ବୋଲି ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ଜଣେ ମାଲଗୋଦାମ ଅଞ୍ଚଳର ଓ ଅନ୍ୟ ଜଣେ ରେଲୱେ କଲୋନୀର । ମୃତକ ଦ୍ୱୟ ହେଲେ ମାଲଗୋଦାମ ଅଞ୍ଚଳର ଅଜିତ ସାମଲ ଓ ରେଲୱେ କଲୋନୀର ବିକାଶ ରାଓ । ଉଭୟଙ୍କ ଘର ପାଖାପାଖି ହୋଇଥିବାରୁ ସେମାନେ ପୂର୍ବରୁ ପରସ୍ପରକୁ ଜାଣିଥିବା ସୂଚନା ମିଳିଛି। ଗତ ରାତିରେ ଉଭୟ ଜେନେରାଲ ବଗିରେ ଉଠିଥିଲେ। ଭୋର ୩ଟା ୪୫ରେ ଏହି ଦୁର୍ଘଟଣା ଘଟିଛି । ଉଭୟ ଅଜିତ ଓ ବିକାଶଙ୍କ ମୃତଦେହ ଚକ୍ରଧରପୁର ହସ୍ପିଟାଲରେ ରହିଛି ।
ଏହି ଖବର ପ୍ରଚାରିତ ହେବା ପରେ ଉଭୟଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଛି । ଉଭୟଙ୍କ ପରିବାର ସଦସ୍ୟ ଆଜି ଚକ୍ରଧରପୁର ଯିବେ ବୋଲି ଜଣାଯାଇଛି। ସେଠାରେ ବ୍ୟବଚ୍ଛେଦ ପରେ ମୃତଦେହ ଦୁଇଟି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।
ଚକ୍ରଧରପୁର ଡିଭିଜନର ରାଜଖରସୁଆଁରୁ ୭ କି.ମି. ଦୂରରେ ଥିବା ବାରାବମ୍ବୋ ଷ୍ଟେଶନ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇ ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିଲା । ଦୁର୍ଘଟଣା ପରେ ଟ୍ରେନ୍‌ର ୧୮ଟି ବଗି ଟ୍ରାକ୍‌ରୁ ଖସି ଯାଇଥିଲା । ସେଥିରୁ ୧୬ଟି ଯାତ୍ରୀ ବଗି, ଗୋଟିଏ ପ୍ୟାଣ୍ଟ୍ରି କାର୍ ଓ ପାୱାର କାର୍ ରହିଛି ।
ଟ୍ରେନ୍ ମ୍ୟାନେଜର କହିଛନ୍ତି, ପୂର୍ବରୁ ସେହି ରୁଟରେ ଏକ ମାଲଗାଡ଼ି ଲାଇନଚ୍ୟୁତ ହୋଇଥିଲା । ପରେ ହାୱଡା-ମୁମ୍ବାଇ ଏକ୍ସପ୍ରେସ ଦୁର୍ଘଟଣାର ଶିକାରର ଶିକାର ହୋଇଛି ।
ଦୁର୍ଘଟଣା ପରେ ପରେ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିବା ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ଯାତ୍ରୀଙ୍କୁ ବସ୍ ଓ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଯାଇଛି । ଟ୍ରେନ୍ ଲାଇନଚ୍ୟୁତ ହେବା ପରେ ୫ଟି ଟ୍ରେନ୍ ଚଳାଚଳ ବାତିଲ୍ କରାଯାଇଛି । ଏଥିସହ ୪ଟି ଟ୍ରେନ୍ ସ୍ୱଳ୍ପ ବାତିଲ୍ ହୋଇଥିବା ବେଳେ ଓ ୧୭ଟି ଟ୍ରେନ୍ ଗତିପଥ ପରିବର୍ତ୍ତନ କରାଯାଇଛି ।