ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ମେଟାକାନୀ ଛକରେ ପିକଅପ ଭ୍ୟାନ ଚଢେଇ ହତ୍ୟା ଘଟଣାର ପୁଲିସ ଚାଂଚଲ୍ୟକର ଖୁଲାସା କରିଛି । ଦୁର୍ଘଟଣାର ରୂପ ଦେଇ ହତ୍ୟାକାରୀ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ତଦନ୍ତ ସମୟରେ ପୁଲିସ ହାତରେ ଧରା ପଡି କୁଖ୍ୟାତ ଅପରାଧି ତଥା ମୁଖ୍ୟ ଅଭିଯୁକ୍ତ ଦୀପକ ଚୌଧୁରୀ ଏବେ ଜେଲ ହାଜତରେ ଅଛି । ଅନ୍ୟପଟେ ହତ୍ୟା ଘଟଣାରେ ହତ୍ୟାକାରୀକୁ ସୂଚନା ପ୍ରଦାନ କରୁଥିବା ଅଭିଯୋଗରେ ଅଇଁଲାଛାଟ ଗ୍ରାମର ତପନ ଭୁଏଙ୍କୁ ପୁଲିସ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି । ଜାମିନ ନାମାଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି । ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତର ଭାଇ ଅଭିଷେକ ଚୌଧୁରୀଙ୍କ ସମେତ ହତ୍ୟାକାଣ୍ଡରେ ସାମିଲ ଥିବା ଆଉ କିଛି ଅଭିଯୁକ୍ତ ଏବେବି ଫେରାର ଅଛନ୍ତି । ତପନ ମେଟାକାନୀ ଛକରେ ଛିଡା ହୋଇ ହତ୍ୟା ପାଇଁ ଟାର୍ଗେଟ କରାଯାଇଥିବା ଯୁବକ ମାନଙ୍କର ସୂଚନା ହତ୍ୟାକାରୀଙ୍କୁ ଫୋନ ଯୋଗେ ଜଣାଉଥିବା ପୋଲିସ ଖୁଲାସା କରିଛି । ହତ୍ୟାକାରୀ ଏବଂ ମୃତକଙ୍କ ସମେତ ଆଉ କିଛି ଯୁବକ ଏକ ଗୋଷ୍ଠି କରି ଉଲୁଣ୍ଡା ସମେତ ବିଭିନ୍ନ ଥାନା ଅଂଚଳରୁ ବିଦ୍ୟୁତ ତାର ଚୋରି କରିବା ସହ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରୁଥିଲେ । ଦିର୍ଘ ମାସ ଧରି ଏକାଠି ଚାଲିବା ପରେ ବିଦ୍ୟୁତ ତାର ବିକ୍ରିକୁ ନେଇ ବିବାଦ ଦେଖାଦେବା ସହ ଅଭିଯୁକ୍ତଙ୍କ ଭିତରେ ଦୁଇଟି ଗୋଷ୍ଠି ତିଆରି ହୋଇଥିଲା । ଫଳରେ ଉଭୟ ଗୋଷ୍ଠି ମଧ୍ୟରେ ବିଭିନ୍ନ ସମୟରେ ଗଣ୍ଡଗୋଳ ଲାଗି ରହୁଥିଲା । ବିହାର ରାଜ୍ୟର ମୂଳନିବାସୀ ଦୀପକ ବରଗଡରେ ରହି ଆସୁଥିବା ବେଳେ ଗତ କିଛି ମାସ ହେଲା ବିନିକା ଥାନା ନୂଆପାଲିରେ ରହି ବିଭିନ୍ନ ଅପରାଧରେ ସାମିଲ ହେଉଥିଲା । ସୁବର୍ଣ୍ଣପୁର ଜିଲାର ବିଭିନ୍ନ ଥାନାରେ ତାଙ୍କ ବିରୋଧରେ ୧୨ ଟି ଅଭିଯୋଗ ରହିଥିବା ବେଳେ ଜିଲ୍ଲା ବାହାରେ ମଧ୍ୟ ୫୦ ରୁ ଅଧିକ ମାମଲା ଥିବା ଜଣାପଡିଛି । ଅନ୍ୟପଟେ ଦୀପକର ଭାଇ ଅଭିଷେକ ଅଇଁଲାଛାଟରେ ଘର ଭଡା ନେଇ ରହୁଥିବା ବେଳେ ସ୍ଥାନୀୟ ଯୁବକ ମାନଙ୍କୁ ନେଇ ବିଦ୍ୟୁତ ତାର ସମେତ ବିଭିନ୍ନ ସ୍ଥାନରୁ ଚୋରି, ଡକାୟତି ମାମଲାରେ ଲିପ୍ତ ରହୁଥିଲା । ଚୋରି , ଡକାୟତି ଧିରେ ଧିରେ ବଢିବା ସହ ସେମାନଙ୍କ ଗୋଷ୍ଠିରେ ଅଭିଯୁକ୍ତଙ୍କ ତାଲିକା ମଧ୍ୟ ଯୋଡି ହୋଇ ଚାଲିଥିଲା । ମାତ୍ର ଏହା ବେଶ ଦିନ ତିଷ୍ଠି ପାରିନଥିବା ବେଳେ ଚୋରି ଟଙ୍କା ଭାଗବଂଟାକୁ ନେଇ ଗଣ୍ଡଗୋଳ ଦେଖା ଦେଇଥିଲା । ହତ୍ୟାକାରୀ ଦୀପକ, ତାର ଭାଇ ଅଭିଷେକ କିଛି ଯୁବକଙ୍କୁ ନେଇ ଏକ ନୂତନ ଗୋଷ୍ଠି ଗଠନ କରିଥିଲା । ସେହିପରି ମୃତକ ଅଇଁଲାଛାଟ ଗାଁର ରାଜେଶ କୁମ୍ଭାର , ନାରାୟଣଟିକ୍ରା ଗାଁର ଦେବାନନ୍ଦ ସୁରୁଜାଲ , ବଲପାଲି ଗାଁର ସୁଶାନ୍ତ ସାହୁ ଏବଂ ଗୁରୁତର ଆହତ ଥିବା ଗଇଲମରା ଗାଁର କରଣ କୁମ୍ଭାରଙ୍କ ସମେତ ଆଉ କିଛି ଯୁବକ ମିଶି ଏକ ଗୋଷ୍ଠି କରିଥିଲେ । ଗତ ୨୩ ତାରିଖ ରାଜେଶ ଏକ ବାଇକ ଯୋଗେ ଚୋରା ବିଦ୍ୟୁତ ତାର ନେଇ ବିନିକା ପଟକୁ ବିକ୍ରି ପାଇଁ ଯାଉଥିବା ବେଳେ ଦୀପକ ଏକ ପିକଅପ ଭ୍ୟାନରେ ଆସି ଉକ୍ତ ତାର ନେଇ ସେଠାରୁ ଫେରାର ହୋଇଯାଇଥିଲା । ଏହାକୁ ନେଇ ବିବାଦ ଦେଖାଦେଇଥିବା ବେଳେ ଦୀପକ ଏବଂ ଅଭିଷେକ ମିଶି ରାଜେଶ ଏବଂ ଅନ୍ୟ ମାନଙ୍କୁ ହତ୍ୟା ଧମକ ଦେଇଥିଲେ । ଶେଷରେ ମେଟାକାନୀ ଛକରେ ଚା’ ପିଉଥିବା ବେଳେ ପିକଅପ ଭ୍ୟାନ ମଡାଇ ୩ ଜଣଙ୍କୁ ହତ୍ୟା କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇ ଚିକିତ୍ସାଧିନ ଥିବା ଜଣାପଡିଛି । ତେବେ ଏହି ଅଭିଯୁକ୍ତ ମାନେ ଚୋରି ସମେତ ବେଆଇନ କପସିରଫ ବ୍ୟବସାୟରେ ମଧ୍ୟ ଲିପ୍ତ ଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଅଭିଯୁକ୍ତ ପାଖକୁ ଫୋନ ଗଲେ କପସିରଫ ଆଣି ଗ୍ରାହକଙ୍କୁ ଯୋଗାଇ ଦେଉଥିଲେ । ମାତ୍ର ଏହି ଦିଗକୁ ପୁଲିସ ସମ୍ପୁର୍ଣ୍ଣ ଅଣଦେଖା କରିଛି । ଅନ୍ୟପଟେ ବିଦ୍ୟୁତ ଚୋରିକୁ ନେଇ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ବେଳେ ଏହା ପଛରେ ଥିବା ଅଭିଯୁକ୍ତ ଏବେ ବି ଖୁଲମଖୁଲା ବାହାରେ ବୁଲୁଛନ୍ତି । ପୁଲିସ କେବଳ ହତ୍ୟାକାରୀଙ୍କୁ ଖୋଜୁଥିବା ବେଳେ ଉଭୟ ଗୋଷ୍ଠିର କେତେ ଜଣ ଅଭିଯୁକ୍ତ ବାହାରେ ବୁଲୁଥିବାରୁ ସାଧାରଣରେ ଅନେକ ଆଶଙ୍କା ବଢିବାରେ ଲାଗିଛି । ଉଲୁଣ୍ଡା ଥାନାରେ ବିଦ୍ୟୁତ ତାର ଚୋରି ନେଇ ମାଳମାଳ ଅଭିଯୋଗ ପଡି ରହିଥିବା ବେଳେ ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ ଫେଲ ମାରିଛି । ଏନେଇ ଉଲୁଣ୍ଡା ଥାନା ଅଧିକାରୀ ପଂଚାନନ ନାଏକଙ୍କୁ ପଚାରିବାରୁ ତଦନ୍ତ ଜାରି ରହିଛି ଫେରାର ଥିବା ଅଭିଯୁକ୍ତ ଧରାପଡିବେ ବୋଲି ପ୍ରକାଶ କରିଥିଲେ ।