Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂଜା ଖେଡ଼କର IAS ପଦରୁ ବିଦା, ଭବିଷ୍ୟତର ପରୀକ୍ଷା ଉପରେ ଲାଗିଲା ରୋକ; UPSCର ଆକ୍ସନ

ନୂଆଦିଲ୍ଲୀ: ବିବାଦ ଘେରରେ ଥିବା ଆଇଏଏସ ପୂଜା ଖେଡକରଙ୍କ ବିରୋଧରେ କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସସି) ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି। ପ୍ରଶିକ୍ଷଣପ୍ରାପ୍ତ ପୂଜା ଖେଡକରଙ୍କୁ ୟୁପିଏସସି ଚାକିରିରୁ ବିଦା କରିଛି। ପୂଜା ଖେଡ଼କରଙ୍କ ଭବିଷ୍ୟତରେ କୌଣସି ବି ପରୀକ୍ଷା କିମ୍ବା ଚୟନରେ ସାମିଲ ହେବା ଉପରେ ରୋକ୍ ଲଗାଯାଇଛି ୟୁପିଏସସି। ସିଏସଇ-୨୦୨୨ର ତାଙ୍କ ପ୍ରାର୍ଥୀତ୍ଵକୁ ମଧ୍ୟ ଆୟୋଗ ରଦ୍ଦ କରିଛନ୍ତି। ସମସ୍ତ ରେକର୍ଡ ଯାଞ୍ଚ ପରେ ପୂଜା ଖେଡ଼କର ସିଏସଇ-୨୦୨୨ ନିୟମର ଉଲ୍ଲଂଘନ କରିଥିବାରେ ଦୋଷୀ ସାବ୍ୟସ୍ତ ହୋଇଥିବା  ୟୁପିଏସସି କହିଛି।

ଏହା ପୁର୍ବରୁ  ଖେଡକରଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରାଯାଇଥିଲା। ପୂଜା ଖେଡ଼ଡକରଙ୍କ ସିଭିଲ ସେବା ପରୀକ୍ଷା-୨୦୨୨ର ପ୍ରାର୍ଥୀତ୍ଵକୁ କାହିଁକି ରଦ୍ଦ କରାଯିବ ନାହିଁ ବୋଲି ନୋଟିସରେ ପଚରା ଯାଇଥିଲା। ୟୁପିଏସସି ଏହି ମାମଲାରେ ଏଫଆଇଆର ମଧ୍ୟ ରୁଜୁ କରିଥିଲା। ପୂଜା ଖେଡକର ସାର୍ଟିଫିକେଟ୍ ଜାଲିଆତି କରିଥିବା ଅଭିଯୋଗ  ହୋଇଥିଲା।

ଅନ୍ୟପଟେ ଦିଲ୍ଲୀ କୋର୍ଟ ବୁଧବାର ପୂଜା ଖେଡ଼କରଙ୍କ ଅନ୍ତରୀଣ ଜାମିନ ଉପରେ ଶୁଣାଣି କରିଛନ୍ତି। ଅଗଷ୍ଟ ୧ ତାରିଖରେ ଜାମିନ ଉପରେ ନିଷ୍ପତ୍ତି ଶୁଣାଇବେ କୋର୍ଟ। ୟୁପିଏସସିର ଅଭିଯୋଗକ୍ରମେ ଖେଡ଼କରଙ୍କ ବିରୋଧରେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ମଧ୍ୟ ମାମଲା ରୁଜୁ କରିଥିଲା। ପୂଜା ଖେଡ଼କର ନିଜ ଦସ୍ତାବିଜରେ ନାମ, ଫଟୋ, ଇମେଲ ଓ ଠିକଣା ସବୁ ଭୁଲ ସୂଚନା ଦେଇଥିବା ତଦନ୍ତରୁ ଜଣା ପଡ଼ିଥିଲା।

ପୂଜା ଖେଡ଼କର ନିଜର ସଉକ ଓ ସୁବିଧା ପାଇଁ କ୍ଷମତାର ଦୁରୁପଯୋଗ କରି ଚର୍ଚ୍ଚାକୁ ଆସିଥିଲେ। ପ୍ରଶିକ୍ଷଣପ୍ରାପ୍ତ ଆଇଏଏସ ଭାବେ ସେ ଯେଉଁ ସୁବିଧା ଦାବି କରିଥିଲେ, ତାହାର ସେ ହକଦାର ନ ଥିଲେ। ଜଣେ ବରିଷ୍ଠ ଅଧିକାରୀଙ୍କ ପ୍ରକୋଷ୍ଠକୁ ସେ କବଜା କରିଥିବା ଅଭିଯୋଗ ହୋଇଥିଲା। ସେ ନିଜ କାରରେ ଲାଲ ବତୀ ଏବଂ ‘ମହାରାଷ୍ଟ୍ର ସରକାର’ଙ୍କ ପ୍ଲେଟ ଲଗାଇଥିଲେ। ତାଙ୍କ ମାଆ ବି ଏବେ  ଜେଲରେ। ସେ ବନ୍ଧୁକ ଦେଖାଇ ଚାଷୀଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ