ଭୁବନେଶ୍ଵର: ରାଜଧାନୀରେ ଭଙ୍ଗା ହେବ କି ବେଆଇନ୍ ଆପାର୍ଟମେଣ୍ଟ ? ଏହି ପ୍ରଶ୍ନ ଏବେ ରାଜଧାନୀବାସୀଙ୍କ ମନରେ ଘାରିଛି । ଭୁବନେଶ୍ୱରରେ ମାଳମାଳ ବେଆଇନ ଆପାର୍ଟମେଣ୍ଟ ନେଇ ବିଧାନସଭାରେ ତଥ୍ୟ ଆସିବା ପରେ ପୁଣି ବେଆଇନ୍ ଆପାର୍ଟମେଣ୍ଟ ଭଙ୍ଗା ଚର୍ଚ୍ଚା ଜୋର୍ ଧରିଛି । ଭୁବନେଶ୍ୱର ମେୟର କହିଛନ୍ତି ସରକାରଙ୍କ ନିର୍ଦ୍ଦେଶ ଆସିଲେ ବେଆଇନ୍ ଆପାର୍ଟମେଣ୍ଟ ଭଙ୍ଗାଯିବ । ହେଲେ ଏ ବାବଦରେ ନଗର ଉନ୍ନୟନ ମନ୍ତ୍ରୀଙ୍କ କହିବା କଥା ଏ ସମସ୍ୟା ଆଜିର ନୁହେଁ । ତେଣୁ ସରକାର ଏ ଦିଗରେ ବିଚାର କରୁଛନ୍ତି । ସମସ୍ତେ ବସି ଆଲୋଚନା କରିବା ପରେ ହିଁ କୌଣସି ନିଷ୍ପତ୍ତି ନିଆଯିବ ।
କେଉଁଠି ବିଲଡର ସରକାରୀ ଜାଗା ତ ଆଉ କେଉଁଠି ଜଳାଶୟ ଓ କାଢ଼ା ନାଳ ମାଡ଼ିବସି ବିନା ଅନୁମତିରେ ନିର୍ମାଣ କରିଛନ୍ତି ଆପାର୍ଟମେଣ୍ଟ । ସାରା ରାଜ୍ୟରେ ୭୧୯ ବେଆଇନ୍ ଆପାର୍ଟମେଣ୍ଟ ରହିଥିବା ବେଳେ ସେଥି ମଧ୍ୟରୁ କେବଳ ଭୁବନେଶ୍ୱରରେ ରହିଛି ୬୮୯ ବେଆଇନ୍ ଆପାର୍ଟମେଣ୍ଟ । ନିକଟରେ ବିଧାନସଭାରେ ଏଭଳି ତଥ୍ୟ ଦେଇଥିଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ସେପଟେ ମେୟର ସୁଲୋଚନା ଦାସ କହିଛନ୍ତି, ସରକାର ଅନୁମତି ଦେଲେ ବେଆଇନ ଆପାର୍ଟମେଣ୍ଟ ଭଙ୍ଗାଯିବ । ସରକାରଙ୍କ ନିଷ୍ପତ୍ତି ଯାହା ରହିବ ତାକୁ ମାନିବ ବିଏମସି । ଯେଉଁସବୁ ବେଆଇନ ଆପାର୍ଟମେଣ୍ଟ ରହିଛି ତାହାକୁ ଭାଙ୍ଗିଲେ କ୍ଷତିପୂରଣ ଦେବାକୁ ପଡିବ । ବିଏମସି ପାଖରେ କ୍ଷତିପୂରଣ ଦେବାକୁ ଟଙ୍କା ନାହିଁ । ରାଜ୍ୟ ସରକାର ଯଦି କ୍ଷତିପୂରଣ ଦେବେ, ଅନୁମତି ମିଳିଲେ ଆମେ ଆପାର୍ଟମେଣ୍ଟ ଭାଙ୍ଗିଦେବୁ ବୋଲି କହିଛନ୍ତି ମେୟର । କିଛି ଆପାର୍ଟମେଣ୍ଟ ନିର୍ମାଣ ବେଳେ ତାହା ପଞ୍ଚାୟତ ଅଧୀନରେ ଥିଲା ଏବେ ସେଗୁଡିକ ବିଏମସି ନିୟନ୍ତ୍ରଣକୁ ଆସିଛି ।
ସୂଚନାଯୋଗ୍ୟ, ରାଜଧାନୀରେ କେଉଁଠି ରାସ୍ତା ଅବରୋଧ କରି ତ ଆଉ କେଉଁଠି ଜଳାଶୟ ଊପରେ ଓ ନାଳ ଅବରୋଧ କରି ଆପାର୍ଟମେଣ୍ଟ ନିର୍ମାଣ କରାଯାଇଛି । ମନ୍ତ୍ରୀ କହିଛନ୍ତି ରାଜଧାନୀରେ ବେଆଇନ୍ ଆପାର୍ଟମେଣ୍ଟ ସମସ୍ୟା ଆଜିର ନୁହେଁ । ଏ ବାବଦରେ ସମସ୍ତେ ବସି ଆଲୋଚନା କରିବା ପରେ ନିଷ୍ପତ୍ତି ନିଆଯିବ । ନୂଆ ସରକାର ଏ ଦିଗରେ ବିଚାର କରୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ।
ରାଜଧାନୀରେ ବେଆଇନ୍ ଆପାର୍ଟମେଣ୍ଟ କଥା ପୂର୍ବ ସରକାର ଅମଳରେ ମଧ୍ୟ ବିଧାନସଭାରେ ଉଠିଥିଲା । ଆଉ ଯେତେବେଳେ ବି ଏହି ପ୍ରସଙ୍ଗ ଉଠିଛି ସେତେବେଳେ ସେସବୁ ଆପାର୍ଟମେଣ୍ଟରେ ରହିଥିବା ଫ୍ଲାଟ୍ ଓନରଙ୍କ ଚିନ୍ତା ବଢ଼ିଛି । କାରଣ ସେମାନେ ନିଜ କଷ୍ଟ ଅର୍ଜିତ ଟଙ୍କାରେ ଏସବୁ ଆପାର୍ଟମେଣ୍ଟରେ ଫ୍ଲାଟ୍ କିଣିଛନ୍ତି । ବେଆଇନ୍ ଆପାର୍ଟମେଣ୍ଟ ନିର୍ମାଣ କରି ଲୋକଙ୍କୁ ଘର ବିକି ମାଲେମାଲ ହୋଇଛନ୍ତି ବିଲଡର । ଏବେ ଯଦି ଆପାର୍ଟମେଣ୍ଟ ଭଙ୍ଗା ଯିବ ବୋଲି କଥା ଉଠୁଛି ତାହେଲେ ଘର କିଣିଥିବା ଲୋକେ ଚିନ୍ତାରେ ପଡ଼ିବା ସ୍ୱାଭାବିକ୍ ।
ପ୍ରପର୍ଟି କିଣା ବିକା ନେଇ ୨୦୧୭ରେ ରେରା ଆକ୍ଟ ଆସିଲା । ହେଲେ ଭୁବନେଶ୍ୱର ଏମତି ବହୁ ଆପାର୍ଟମେଣ୍ଟ ରହିଛି ଯାହାକି ରେରା ଆକ୍ଟ ଆସିବା ପୁର୍ବରୁ କନଷ୍ଟ୍ରକସନ ସାରି ଘରମାଲିକଙ୍କୁ ହସ୍ତାନ୍ତର କରାଯାଇଥିଲା । ଭୁବନେଶ୍ୱରରେ ଏମିତି ବି କିଛି ଆପାର୍ଟମେଣ୍ଟ ରହିଛି ଯାହାକି ପୂର୍ବରୁ ବିଭିନ୍ନ ପଞ୍ଚାୟତ ଅଧୀନରେ ଥିଲା । ସମୟ କ୍ରମେ ଏହା ବିଏମସି ଓ ବିଡିଏ ଅଧୀନକୁ ଆସିଛି। ଯାହାକୁ ନେଇ ବି ବଡ଼ ଦ୍ୱନ୍ଦ୍ୱ ରହିଛି । ସରକାର ପୁଣି ସର୍ବକ୍ଷମା ଲାଗୁ କରି ପୁରୁଣା ଅବୈଧ ନିର୍ମାଣକାରୀଙ୍କୁ ଫାଇନ ନେଇ ନିୟମ ସରଳିକରଣ କରିବାକୁ ଦାବି କରିଛି କ୍ରେଡାଇ ।