ରାଜ୍ୟସଭାକୁ ଯିବେ ମନମୋହନ ! କମିବ ବିଜେଡିର ବଳ


ଭୁବନେଶ୍ଵର: ସାଧାରଣ ନିର୍ବାଚନର ବିପର୍ଯ୍ୟୟ ପରେ ଆଜି ବିଜେଡିକୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ରାଜ୍ୟସଭା ସାଂସଦ ପଦରୁ ମମତା ମହାନ୍ତ ଇସ୍ତଫା ଦେଇଛନ୍ତି। ଏହା ସହ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ଦଳ ସହ ସବୁ ସମ୍ପର୍କ ଛିନ୍ନ କରିଛନ୍ତି। ମମତାଙ୍କ ଇସ୍ତଫା ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି। ରାଜ୍ୟରେ ଏବେ ଗୋଟିଏ ରାଜ୍ୟସଭା ପଦ ଖାଲି ପଡିଲା । ଏହି ଜାଗା କିଏ ପୂରଣ କରିବ ତାକୁ ନେଇ ନନା ପ୍ରକାରର ଚର୍ଚ୍ଚା ଆରମ୍ଭ ହୋଇଛି । ଆଉ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ତାଙ୍କୁ ଦଳ ରାଜ୍ୟସଭା ପଠାଇବାର ଯଥେଷ୍ଟ ସମ୍ଭାବନା ରହିଛି । ସମୟକ୍ରମେ ରାଜ୍ୟସଭାରେ ବିଜେଡିର ବି ସଂଖ୍ୟାବଳ କମିବ ।

ମନମୋହନ ସାମଲଙ୍କ ସଭାପତିତ୍ୱରେ ପ୍ରଥମ ଥର ବିଜେପି ଓଡିଶାରେ କ୍ଷମତାସୀନ ହୋଇଛି । ବିଧାନସଭା ନିର୍ବାଚନରେ ନିଜ ଆସନରୁ ଅଳ୍ପକେରୁ ହାରିଥିଲେ ମନମୋହନ । ତଥାପି ତାଙ୍କର କାର୍ଯ୍ୟଶୈଳୀ ଏବଂ ନେତୃତ୍ୱ ଦଳକୁ ବିଜୟୀ କରାଇବାରେ ବେଶ ବଡ ଭୂମିକା ନିର୍ବାହ କରିଛି । ବିଶେଷ କରି ନିର୍ବାଚନ ପୂର୍ବରୁ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ଚର୍ଚ୍ଚା ମଧ୍ୟରେ ସେ ରାଜ୍ୟର ସଭାପତି ଭାବେ ଯେମିତି ଦାୟିତ୍ୱ ନିର୍ବାହ କରିଥିଲେ ତାର ଫଳାଫଳ ଏବେ ଦେଖିବାକୁ ମିଳୁଛି । ତେଣୁ ଦଳ ତାଙ୍କୁ ରାଜ୍ୟସଭା ପଠାଇପାରେ ବୋଲି କୁହାଯାଉଛି । ଏହା ବି ମନମୋହନ ଓ ରାଜ୍ୟ ବିଜେପି ପାଇଁ ପ୍ରକୃଷ୍ଟ ସମୟ । ଦଳ ପାଖରେ ସଂଖ୍ୟା ବଳ ମଧ୍ୟ ରହିଛି ।

ଓଡିଶାରୁ ବିଜେପିର ଏକମାତ୍ର ରାଜ୍ୟସଭା ସାଂସଦ ହେଉଛନ୍ତି ଅଶ୍ୱିନୀ ବୈଷ୍ଣବ । ଦ୍ୱିତୀୟ ରାଜ୍ୟସଭା ସଦସ୍ୟ ଓଡିଶା ବିଜେପିରୁ ଯିବା ଥୟ ଲାଗୁଛି । ଆଉ ଏହି ଦୌଡରେ ମନମୋହନ ସାମଲ ସବୁଠୁ ଆଗରେ ରହିଛନ୍ତି । ବିଜେଡିରୁ ଦୁଇଟି ନାଁ ଚର୍ଚ୍ଚାକୁ ଆସୁଛି । ସେ ହେଉଛନ୍ତି ପ୍ରଣବ ପ୍ରକାଶ ଦାସ ଓ ନବାଗତ ସଂତୃପ୍ତ ମିଶ୍ର । କିନ୍ତୁ ବର୍ତ୍ତମାନ ସଂଖ୍ୟାବଳ ବିଜେପି ହାତରେ ରହିଛି । ୧୪୭ ବିଧାନସଭା ସିଟରୁ ଦଳ ପାଖରେ ୮୧ ବିଧାୟକଙ୍କ ସମର୍ଥନ ରହିଥିବା ବେଳେ ବିଜେଡି ପାଖରେ ଅଛନ୍ତି ୫୧ ବିଧାୟକ । କଂଗ୍ରେସର ୧୪ ବିଧାୟକ ରହିଛନ୍ତି । ତେଣୁ ବିଜେପି ପ୍ରାର୍ଥୀଙ୍କ ରାଜ୍ୟସଭା ଯିବା ପ୍ରାୟତଃ ସ୍ପଷ୍ଟ । ଯଦି ଦିଲ୍ଲୀ ସହ ନବୀନ ପଟ୍ଟନାୟକ କିଛି ସଲାସୁତୁରା କରି ପାରନ୍ତି ତେବେ ବିଜେଡିର ଆଉ ଜଣେ ବ୍ୟକ୍ତି ରାଜ୍ୟସଭାକୁ ଯାଇ ପାରନ୍ତି ।

କିନ୍ତୁ ମନମୋହନ ସାମଲଙ୍କ ରାଜ୍ୟସଭାକୁ ପଠାଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଓଡିଶାର ରାଜ୍ୟସଭା ସଦସ୍ୟ ସଂଖ୍ୟା ୧୦ । ଏଥିରୁ ବିଜେଡିର ୯ ଏବଂ ବିଜେପିର ଜଣେ ସଦସ୍ୟ ଅଛନ୍ତି । କିନ୍ତୁ ମମତା ମହାନ୍ତଙ୍କ ଇସ୍ତଫା ଏବଂ ଦଳ ଛାଡିବା ପରେ ବିଜେଡିର ସଦସ୍ୟ ସଂଖ୍ୟା ୮କୁ ହ୍ରାସ ପାଇଛି । ଆଉ ଏହି ସ୍ଥାନରେ କେନ୍ଦ୍ର ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ପଠାଇ ତାଙ୍କୁ ଦଳ ବିଜୟର ଉପହାର ଭେଟି ଦେଇ ପାରନ୍ତି ।

ମମତା ମହାନ୍ତଙ୍କ ଇସ୍ତଫା ପରେ ୨୦୨୬ ଏପ୍ରିଲ ୨ରେ ବିଜେଡିର ୩ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି । କାରଣ ମମତାଙ୍କ ରାଜ୍ୟସଭା ସଦସ୍ୟ ଭାବେ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଥିଲା । ତାଙ୍କ ବାଦ୍ ଅନ୍ୟ ୩ ହେଉଛନ୍ତି ସୁଜିତ କୁମାର, ମୁନ୍ନା ଖାଁ ଓ ନିରଞ୍ଜନ ବିଶି । ଏବେ ମମତାଙ୍କ ସ୍ଥାନରେ ମନମୋହନ ସାମଲ ଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଅନ୍ୟ ୩ରୁ ଅନ୍ତତଃ ବିଜେପି ଖାତାକୁ ୨ ଯିବ । ଏମିତି ହେଲେ ୨୦୨୬ରେ ଓଡିଶାରୁ ବିଜେପିର ୪ ସଦସ୍ୟ ରାଜ୍ୟସଭାରେ ରହିବେ । ସେପଟେ ବିଜେଡିର ସଦସ୍ୟ ସଂଖ୍ୟା ୬କୁ ଖସି ଆସିବ । ସେମିତିରେ ଲୋକସଭାରେ ଦଳ ଖାତା ଖୋଲି ପାରିନି । ରାଜ୍ୟସଭାରେ ସ୍ଥିତି ଏମିତି ହେଲେ ଦଳ ଜାତୀୟ ରାଜନୀତିରେ ନିଜର ଅସ୍ଥିତ୍ୱ ହରାଇବାକୁ ବେଶି ସମୟ ଲାଗିବନି ।