ବନ୍ଧୁକ ଦେଖାଇଲେ, ଭୁଜାଲିରେ ହାଣି ୯ ଲକ୍ଷ ଲୁଟିଲେ


କେନ୍ଦ୍ରାପଡ଼ା: ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଯିବା ବେଳେ ଆଳୁ ବ୍ୟବସାୟୀଙ୍କୁ ମରଣାନ୍ତାକ ଆକ୍ରମଣ ସହ ଲୁଟ । ଦୁର୍ବୃତ୍ତମାନେ ପ୍ରଥମେ ବନ୍ଧୁକ ଦେଖାଇ ବ୍ୟବସାୟୀ ଜଣଙ୍କୁ ଡରାଇଲେ । ତା’ପରେ ଭୁଜାଲିରେ ହାଣି ୯ ଲକ୍ଷ ଟଙ୍କା ଲୁଟି ଚମ୍ପଟ ମାରିଲେ । ଏମିତି ଘଟଣା ଘଟିଛି କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳରେ । ବ୍ୟସ୍ତ ବହୁଳ ଜାତୀୟ ରାଜପଥ ଉପରେ ସ୍ବଷ୍ଟ ଦିବାଲୋକରେ ଏମିତି ଲୁଟର ଶିକାର ହୋଇଛନ୍ତି ବ୍ୟବସାୟୀ ।

ମିଳିଥିବା ଖବର ମୁତାବକ, ଗୋପରେ ଥିବା ଏକ ଆଳୁ ଗୋଦାମର କର୍ମଚାରୀ ବିଶ୍ୱଜିତ ଦାସ ଗତକାଲି ଅପରାହ୍ନରେ ୯ ଲକ୍ଷ ଟଙ୍କା ଧରି ବ୍ୟାଙ୍କରେ ଜମା କରିବାକୁ ଯାଉଥିଲେ । ତେବେ ଶ୍ୟାମସୁନ୍ଦରପୁର ବ୍ରିଜ୍‌ ପାଖରେ ୩ ଜଣ ଯୁବକ ଏକ ବାଇକ୍‌ର ଆସି ବିଶ୍ୱଜିତଙ୍କ ଗାଡ଼ିକୁ ଅଟକାଇ ଥିଲେ । ଗାଡ଼ି ଚାଳକ ହେଲ୍‌ମେଟ୍‌ ପିନ୍ଧିଥିବା ବେଳେ ପଛରେ ବସିଥିବା ଦୁଇ ଯୁବକ ମୁଖା ପିନ୍ଧିଥିଲେ । ୩ ଜଣଙ୍କ ଭିତରୁ ଜଣେ ବିଶ୍ୱଜିତଙ୍କ ଛାତିରେ ବନ୍ଧୁକ ଲଗାଇ ଦେଇ ଟଙ୍କା ବ୍ୟାଗ ମାଗିଥିଲେ ।

ବିଶ୍ୱଜିତ ଟଙ୍କା ଦେବା ପରିବର୍ତ୍ତେ ପଛକୁ ଫେରିବାକୁ ଚେଷ୍ଟା କରୁଥିଲେ । ତେବେ ଅନ୍ୟ ଜଣେ ଯୁବକ ଧରିଥିବା ଭୁଜାଲିରେ ଆକ୍ରମଣ କରିଥିଲେ । ଦୁର୍ବୃତ୍ତ ଜଣଙ୍କ ବିଶ୍ୱଜିତଙ୍କ ହାତକୁ ଗୋଟିଏ ଚୋଟ ପକାଇବାରୁ ସେ ଭୟରେ ଟଙ୍କା ବ୍ୟାଗ ଛାଡି ଦେଇଥିଲେ । ଏହା ପରେ ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ । ବିଶ୍ୱଜିତ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି ।