ଭୁବନେଶ୍ୱର ମେଟ୍ରୋ ରେଳ ନିଗମ ସିଇଓ ପଦ ଛାଡ଼ିଲେ ଶିବପ୍ରସାଦ


ଭୁବନେଶ୍ବର: ଭୁବନେଶ୍ୱର ମେଟ୍ରୋ ରେଳ ନିଗମ (BMRCL)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(CEO) ପଦରୁ ଅବ୍ୟାହତି ନେଇଛନ୍ତି ଶିବପ୍ରସାଦ ସାମନ୍ତରାୟ । ରାଜ୍ୟ ସରକାର ତାଙ୍କର କାର୍ଯ୍ୟକାଳ ବୃଦ୍ଧି ନକରିବାରୁ ସେ ଏହି ପଦ ଛାଡ଼ିଛନ୍ତି ।

ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ତତକାଳୀନ ବିଜେଡି ସରକାର ଗତବର୍ଷ ଜୁଲାଇ ମାସରେ ଶିବପ୍ରସାଦଙ୍କୁ ସିଇଓ ଭାବେ ଏକବର୍ଷ ପାଇଁ ନିଯୁକ୍ତି ଦେଇଥିଲେ । ତାଙ୍କର କାର୍ଯ୍ୟକାଳ ଗତମାସ ୩୧ତାରିଖରେ ଶେଷ ହୋଇଛି । ଭାରତୀୟ ରେଳବାଇ ଇଞ୍ଜିନୟର୍ସ ସେବାର ଅଧିକାରୀ ଶିବପ୍ରସାଦ ପୂର୍ବତଟ ରେଳବାଇର ମୁଖ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ବ୍ରିଜ୍ ୱାର୍କସ) ଭାବେ କାର୍ଯ୍ୟ କରିସାରିଛନ୍ତି ।

ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ମୋହନ ସରକାର ଚଳିତ ବଜେଟରେ ୧ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ହେଲେ ସିଇଓଙ୍କ କାର୍ଯ୍ୟକାଳ ବୃଦ୍ଧି କରି ନଥିଲେ । ଫଳରେ ନିଗମର ଚିଫ୍ ଜେନେରାଲ ମ୍ୟାନେଜର କଲ୍ୟାଣ ପଟ୍ଟନାୟକ ଅସ୍ଥାୟୀ ଭାବେ ଏହି ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଚଳିତବର୍ଷ ଜାନୁୟାରୀ ମାସରେ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହି ୨୬ କି.ମି. ମାର୍ଗରେ ମୋଟ ୨୦ଟି ଷ୍ଟେସନ ରହିବ । ଏଥିପାଇଁ ୬୨୫୫.୯୪ କୋଟି ଟଙ୍କା ବ୍ୟୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ମାର୍ଗ ଚିହ୍ନଟ ସହ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇସାରିଛି ।