କାଲିଠାରୁ ପୁଣି ନାକେଦମ୍ କରିବ ବର୍ଷା, ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ


ଭୁବନେଶ୍ବର: ସକ୍ରିୟ ମୌସୁମୀ ପ୍ରଭାବରେ କାଲିଠୁ ରାଜ୍ୟରେ ବର୍ଷାର ପରିମାଣ ବଢିବ । ପ୍ରବଳ ବର୍ଷା ନେଇ ୧୬ ଜିଲ୍ଲାକୁ ଆସନ୍ତାକାଲି ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, କାଲିଠୁ ରାଜ୍ୟରେ ପ୍ରବଳ ବର୍ଷା ହେବ । ବିଶେଷ କରି ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ ଓ ନୟାଗଡ଼ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ । ୭ରୁ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି ।

ସେହିପରି ୭ ତାରିଖ ପାଇଁ ୬ ଜିଲ୍ଲା ଅନୁଗୋଳ, ଢେଙ୍କାନାଳ, କଟକ, ବୌଦ୍ଧ, ସମ୍ବଲପୁର ଏବଂ ଦେବଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର । ଏହି ସମୟରେ ୧୨ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।