ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ, ବିଭିନ୍ନ ଜିଲ୍ଲାରେ ଘର ସାଙ୍ଗକୁ ଆପାର୍ଟମେଣ୍ଟ


ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଆଉ ଏକ ବଡ଼ ମାଛ । ଆଜି ସକାଳୁ ସକାଳୁ ଚଢ଼ାଉ ଆରମ୍ଭ ହେଉ ହେଉ ମହାଶୟଙ୍କ କୋଟି କୋଟି ଟଙ୍କାର ଘର ଓ ଆପାର୍ଟମେଣ୍ଟ ଥିବା ଜଣାପଡି ସାରିଛି । କଳାଧନର ସୌଦାଗର ସାଜିଥିବା ଏହି ସରକାରୀ ବାବୁ ଜଣଙ୍କ ହେଲେ କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ । ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୧୨ଟି ସ୍ଥାନରେ ଚଢ଼ାଉ କରାଯାଇଛି । କଟକ, ଖୋର୍ଦ୍ଧା, ଭଦ୍ରକ, ଯାଜପୁର ଓ ଭୁବନେଶ୍ୱରର ୧୨ଟି ସ୍ଥାନରେ ଚାଲିଛି ଚଢ଼ାଉ ।

ପ୍ରଦୀପଙ୍କ ଭୁବନେଶ୍ୱର ସତ୍ୟବିହାର ସ୍ଥିତ ଘର ଓ ଚନ୍ଦ୍ରଖେଶରପୁରରେ ଥିବା ଆପାର୍ଟମେଣ୍ଟ ,ଭଦ୍ରକ ଆଚାର୍ଯ୍ୟ ନଗରରେ ଥିବା ଘର, ଆଗରପଡ଼ାରେ ଥିବା ପୈତୃକ ଘର ଓ କଟକ ବାରବାଟୀ ଷ୍ଟାଡିୟମ୍ ପରିସରରେ ଥିବା ଅଫିସରେ ଏହି ଚଢ଼ାଉ କରାଯାଇଛି । 

ସେହିପରି ଭୁବନେଶ୍ୱର ଇନ୍ଦ୍ରଧନୁ ମାର୍କେଟରେ ପ୍ରଦୀପଙ୍କ ପୁଅ ନାଁରେ ଥିବା ମେଡିସିନ ଦୋକାନରେ ଚଢ଼ାଉ କରାଯାଇଥିବା ସୂଚନା ରହିଛି । ପ୍ରଦୀପଙ୍କ ଯାଜପୁର ଓ ଖୋର୍ଦ୍ଧାରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଛି ।

ପ୍ରଦୀପ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ଅଧିକାରୀ ଘଟଣାର ତଦନ୍ତ କରି ଆଜି ଭୋର ପ୍ରାୟ ୪ଟା ସମୟରେ ଚଢ଼ାଉ ଆରମ୍ଭ କରିଛନ୍ତି । ଚଢ଼ାଉରେ ୯ ଡିଏସପି ସହ ୧୧ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।

ସୂଚନାଯୋଗ୍ୟ, କିଛିଦିନ ତଳେ ବାଲେଶ୍ୱର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କୁ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ୮୫ଟି ପ୍ଲଟ୍, ଜଳେଶ୍ୱରରେ ୫ ମହଲା କୋଠ, ନଗଦ ୧୧ ଲକ୍ଷ ୭୦ ହଜାର ୯୮୦ ଟଙ୍କା, ୩୩୪.୫୫ ଗ୍ରାମର ସୁନା ଅଳଙ୍କାର, ଗୋଟିଏ ସୁନା ବିସ୍କୁଟ, ବ୍ୟାଙ୍କ, ପୋଷ୍ଟାଲ ଓ ବୀମା ଜମା ବାବଦକୁ ୭୮ ଲକ୍ଷ ୨ହଜାର ୭୭୯ ଟଙ୍କା ଜବତ କରାଯାଇଥିଲା ।