କଲୋମ୍ବୋ: ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଦିନିକିଆରେ ଭାରତକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି । ଗତକାଲି ଖେଳାଯାଇଥିବା ଏହି ମ୍ୟାଚରେ ୨୪୧ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳ ୨୦୮ ରନ୍ କରି ଅଲଆୁଟ ହୋଇଯାଇଥିଲା । ଅଧିନାୟକ ରୋହିତ ଶର୍ମା ୪୪ ବଲରେ ୬୪, ଅକ୍ଷର ପଟେଲ ୪୪ ଓ ଅନ୍ୟତମ ଓପନର ଶୁବମନ ଗିଲ ୩୫ ରନ ଇନିଂସ ଖେଳିଥିଲେ ମଧ୍ୟ ଏହା ଭାରତ ବିଜୟ ପାଇଁ ଯଥେଷ୍ଟ ହୋଇନଥିଲା ।
ଶ୍ରୀଲଙ୍କା ଟିମ ଘରୋଇ ପରିବେଶରେ ଦମଦାର ପ୍ରଦର୍ଶନ କରି ୩ ଟିକିଆ ସିରିଜରେ ଏବେ ୧-୦ରେ ଆଗୁଆ ରହିଛି । ସ୍ପିନ ଆଟାକକୁ ଭଲ ଖେଳୁଥିବା ଭାରତୀୟ ଟିମ ସେହି ସ୍ପିନ ଜାଲରେ ଫସି ୨୦୮ରେ ରନରେ ଅଲଆଉଟ ହୋଇଯାଇଛି । ଶ୍ରୀଲଙ୍କା ପକ୍ଷରୁ ଲେଗ ସ୍ପିନର ଜେଫ୍ରୀ ବନ୍ଦାରେସୟ ଏକାକୀ ୬ ୱିକେଟ ଦଖଲ କରି ଭାରତୀୟ ଲାଇନ ଅପକୁ ଧ୍ବସ୍ତ କରି ଦେଇଥିଲେ ।
୨୪୧ ରନର ପିଛା କରୁଥିବା ଭାରତକୁ ରୋହିତ ଶର୍ମା ଓ ଗିଲ ଦମଦାର ଷ୍ଟାର୍ଟ ଦେଇଥିଲେ । ରୋହିତ ଶ୍ରୀଲଙ୍କାର ସବୁ ବୋଲରଙ୍କୁ ନିର୍ଦ୍ଦୟ ଭାବେ ପ୍ରହାର କରି ମାତ୍ର ୨୯ଟି ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । ଗିଲ ମଧ୍ୟ ତାଙ୍କୁ ଭରପୂର ସାଥ ଦେଇଥିଲେ । ଉଭୟ ୧୩.୩ ଓଭର ସୁଦ୍ଧା ଦଳୀୟ ସ୍କୋରକୁ ୯୭ରେ ପହଞ୍ଚାଇ ଦେଇଥିଲେ । ରୋହିତ ୬୪ ରନରେ ଆଉଟ ହେବା ପରେ ଜେଫ୍ରୀ ଜଣଙ୍କ ପରେ ଜଣେ ଭାରତୀୟ ବ୍ୟାଟରଙ୍କୁ ପ୍ୟାଭିଲିୟନର ରାସ୍ତା ଦେଖାଇ ଦେଇଥିଲେ ।
ଗିଲ ୩୫, ବିରାଟ କୋହଲି ୧୪, ଶିବମ ଦୁବେ ଶୂନ, ଶ୍ରେୟସ ଆୟର ୭ ଓ କେଏଲ ରାହୁଲ ଖାତା ଖୋଲିବା ପୂର୍ବରୁ ଜେଫ୍ରୀଙ୍କ ଶିକାର ହୋଇଥିଲେ । ୯୭ ରନରେ ପ୍ରଥମ ୱିକେଟ ହରାଇଥିବା ଭାରତ ୧୪୭ ରନରେ ୬ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା । ତେବେ ଅକ୍ଷର ପଟେଲ ଓ ୱାଶିଂଟନ ସୁନ୍ଦର ସ୍ଥିତି ସମ୍ଭାଳିଥିଲେ । ଏପରିକି ଉଭୟ ୭ମ ୱିକେଟ ପାଇଁ ୪୦ ରନ ଯୋଡ଼ିଥିଲେ । ଅକ୍ଷର ପଟେଲଙ୍କୁ ୪୪ ରନରେ ଆଉଟ କରି ଶ୍ରୀଲଙ୍କାର ଅଧିନାୟକ ଚରିତ ଅସଲଙ୍କା ବିପର୍ଯ୍ୟୟ ସୃଷ୍ଟି କରିଥିଲେ । ସୁନ୍ଦର ମଧ୍ୟ ୧୫ ରନ କରି ଅସଲଙ୍କାଙ୍କ ଦ୍ୱିତୀୟ ଶିକାର ବନିଥିଲେ । ଦଳୀୟ ସ୍କୋର ୧୯୦ ଥିବା ବେଳେ ସୁନ୍ଦର ଆଉଟ ହୋଇଯିବାରୁ ଭାରତର ବିଜୟ ଆଶା ସଂପୂର୍ଣ୍ଣ ଭାବେ ମଉଳି ଯାଇଥିଲା । କେବଳ ଔପଚାରିକତା ବାକି ରହିଥିଲା । ଅସଲଙ୍କା ପ୍ରଥମେ ୪ ରନ କରିଥିବା ସିରାଜଙ୍କୁ ଆଉଟ କରି ଭାରତକୁ ୯ମ ଝଟକା ଦେଇଥିଲେ । ଏହାପରେ ଅର୍ଶଦୀପ ସିଂହ ୩ ରନ କରି ରନ ଆଉଟ ହେବାରୁ ଭାରତୀୟ ଇନିଂସ ୨୦୮ରେ ଅଟକି ଯାଇଥିଲା । ଶ୍ରୀଲଙ୍କା ଏହି ମ୍ୟାଚ୍କୁ ୩୨ ରନରେ ଜିତି ସିରିଜରେ ୧-୦ର ଅଗ୍ରଣୀ ହାସଲ କରି ନେଇଛି ।