କୋଟିପତି ମୁଖ୍ୟଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ, ଘରୁ ବାହାରିଲା କେଜିଏ ସୁନା


କଟକ: କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କୁ ପ୍ରଦୀପ ରଥଙ୍କୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଅ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଚଢ଼ାଉ ବେଳେ ତାଙ୍କ ପାଖରୁ କେଜିଏ ସୁନା, ବ୍ୟାଙ୍କ ଓ ଡାକଘରେ ଜମା କୋଟି କୋଟି ଟଙ୍କା, କାର, ବାଇକ୍, ମାଳ ମାଳ ପ୍ଲଟ ଓ ମେଞ୍ଚା ମେଞ୍ଚା କୋଠା ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ ।

ଗତକାଲି ଭିଜିଲାନ୍ସ ପ୍ରଦୀପଙ୍କ ପୈତୃକ ଘର ଆଗରପଡ଼ା ସମେତ କଟକ, ଖୋର୍ଦ୍ଧା, ଭଦ୍ରକ, ଯାଜପୁର ଓ ଭୁବନେଶ୍ୱରର ୧୨ଟି ସ୍ଥାନରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଭୁବନେଶ୍ୱରରେ ୩ ମହଲା କୋଠା, ଭଦ୍ରକରେ ୩ ମହଲା କୋଠା, ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଗୋଟିଏ ଆପାର୍ଟମେଣ୍ଟ, ପାଣ୍ଡରାରେ ଗୋଟିଏ ଫ୍ଲାଟ ଓ ଢେଙ୍କାନାଳରେ ଗୋଟିଏ କ୍ରସର ଠାବ କରିଥିଲା ।

ସେହିପରି ପ୍ରଦୀପଙ୍କର ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଭଦ୍ରକ, ଯାଜପୁରରେ ୪୫ଟି ପ୍ଲଟ୍, ୨ଟି ଜେସିବି, ଗୋଟିଏ ଏକ୍ସକାଭେଟର, ଗୋଟିଏ କାର୍‌ ଓ ୨ଟି ବାଇକ୍‌ ଜବତ କରାଯାଇଥିଲା । ଏଥିସହ ବ୍ୟାଙ୍କ ଓ ଡାକଘରେ ୧.୬୨ କୋଟିର ଜମା ମଧ୍ୟ ଠାବ କରିଥିଲା ଭିଜିଲାନ୍ସ । ପ୍ରଦୀପଙ୍କ ଘରକୁ ୧ କେଜି ସୁନା ମଧ୍ୟ ଜବତ କରିଛି ଭିଜିଲାନ୍ସ । ପ୍ରଦୀପଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଯାଇଥିଲେ । ପରେ ତାଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଇଥିଲା । ହେଲେ ପ୍ରଦୀପ ଠୁଳ କରିଥିବା ସମ୍ପତ୍ତି ସଂପର୍କରେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ ।