Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସରାଏ ବର୍ଷାରେ ବେହାଲ ଲଛିପାଲି ମୁଖ୍ୟ ରାସ୍ତା ରାସ୍ତା ନିର୍ମାଣ ପାଇଁ ଦାବି ସତ୍ବେ ପ୍ରଶାସନ ନୀରବଦ୍ରଷ୍ଟା

ଝାରସୁଗୁଡା ୮/୮ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଜାମଗାଁ ଗ୍ରାମପଞ୍ଚାୟତ ଅନ୍ତ୍ରର୍ଗତ ଲଛିପାଲି ଆଦର୍ଶ ଗ୍ରାମର ମୁଖ୍ୟ ରାସ୍ତାର ଅବସ୍ଥା ଅସରାଏ ବର୍ଷାରେ ବେହାଲ ହୋଇ ପଡୁଛି । ଲଛିପାଲି ଗ୍ରାମବାସୀ ଦୀର୍ଘ ଦିନ ଧରି ଏକ ନୂତନ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ଦାବୀ କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନଥିବା ସେମାନେ ଅଭିଯୋଗ କରୁଛନ୍ତି ।
ସୂଚନା ମତେ ଲଖନପୁର ବ୍ଲକ ଜାମଗାଁ ଗ୍ରାମପଞ୍ଚାୟତ ର ତିନିଗୋଟି ୱାର୍ଡ କୁ ନେଇ ଗଠିତ ହୋଇଥିବା ଲଛିପାଲି ଗ୍ରାମର ଜନ ସଂଖ୍ୟା ପ୍ରାୟ ୬୦୦ ରୁ ଅଧିକ । ଏମାନଙ୍କ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ଲୋକ ତହସିଲ ଭୁକ୍ତ ଜାତି ଓ ଜନଜାତି ସମ୍ପ୍ରଦାୟର ଅଟନ୍ତି । ସେମାନେ ଗାଁ ନିକଟସ୍ଥ ହୀରାକୁଦ ଜଳଭଣ୍ଡାରରୁ ମାଛଧରି ପରିବାର ପ୍ରତିପୋଷଣ କରୁଛନ୍ତି । ଏହା ବ୍ୟତୀତ ଗାଁରେ ରହିଛି ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଏକ ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର ଏବଂ ଏକ ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି । ଗାଁର ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷାଲାଭ ନିମନ୍ତେ ବିଭିନ୍ନ ସ୍କୁଲ, କଲେଜ କୁ ଯାଇଥାନ୍ତି । କିନ୍ତୁ ଲଛିପାଲି ଗାଁରୁ ଜାମଗାଁ କୁ ସଂଯୋଗ କରୁଥିବା ପ୍ରାୟ ଦୁଇ କିମି ରାସ୍ତାଟି ବିଶେଷ କରି ବର୍ଷାଋତୁ ରେ ଅସରାଏ ବର୍ଷା ହେଲେ ଅତି ଶୋଚନୀୟ ହୋଇ ପଡୁଛି । ଫଳରେ ବିଭିନ୍ନ ସ୍କୁଲ କଲେଜ କୁ ପାଠ ପଢିବା ପାଇଁ ଯାଉଥିବା ଛାତ୍ରଛାତ୍ରୀ ତଥା ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରୁଛନ୍ତି । ସାଧାରଣ ନିର୍ବାଚନ ସମୟରେ ଉକ୍ତ ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ରାଜନୈତିକ ଦଳ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି । କିନ୍ତୁ ନିର୍ବାଚନ ପରେ ସବୁ ପାଣି ଫୋଟକା ପରି କୁଆଡ଼େ ମିଳାଇ ଯାଏ ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି ।
ପ୍ରକାଶ ଥାଉକି ୨୦୧୭/୧୮ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲଛିପାଲି ଗ୍ରାମକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ରୂପେ ଘୋଷଣା କରା ଯାଇଥିଲା । ତେଣୁ ସରକାର ତରଫରୁ ଆଦର୍ଶ ଗାଁରେ ଯେଉଁ ଭଳି ବିଭିନ୍ନ ଉନ୍ନୟନ ମୂଳକ କାମ ହେବା କଥା ତାହା ଗ୍ରାମବାସୀଙ୍କ ପାଇଁ ସାତ ସପନ ପାଲଟିଛି । ଲଛିପାଲି ରୁ ଭାୟା ଜାମଗାଁ ଦେଇ ଜାତୀୟ ରାଜପଥ ୪୯ କୁ ଆସିବା ନିମନ୍ତେ ସେମାନଙ୍କ ପାଇଁ କେବଳ ଏହି ରାସ୍ତା ହିଁ ସାହା ଭରସା । କିନ୍ତୁ ଅସରାଏ ବର୍ଷାରେ ଯାତାୟାତ ପାଇଁ ଗ୍ରାମବାସୀଙ୍କ ପାଇଁ ଉକ୍ତ ରାସ୍ତାଟି ଅଭିଶାପ ସଦୃଶ ହୋଇଥାଏ । ଏହା ବ୍ୟତୀତ ଯଦି କୌଣସି ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ହେଲେ ଦୁଇ ଚିକିଆ ,ଚାରି ଚକିଆ ଗାଡି, ୧୦୮ କିମ୍ବା ୧୦୨ ଆମ୍ବୁଲାନ୍ସ ଗାଁକୁ ଯିବା ବହୁତ କଷ୍ଟସାଧ୍ୟ ହୋଇଥାଏ । ଫଳ ସ୍ୱରୂପ ଲୋକେ ଠିକ ସମୟରେ ସ୍ୱାସ୍ଥ୍ୟ ସେବା ପାଇ ପାରୁନଥିବା ପ୍ରକାଶ କରିଛନ୍ତି । ତେଣୁ ଜାମଗାଁ ଠାରୁ ଲଛିପାଲିକୁ ସଂଯୋଗ କରୁଥିବାମୁଖ୍ୟ ରାସ୍ତାକୁ ଯଥାଶୀଘ୍ର ନୂତନ ଭାବେ ନିର୍ମାଣ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷେପ ନେବାକୁ ଫକୀର ପଧାନ,ଉପେନ୍ଦ୍ର ସା,ବିଜୟ ସାହୁ, ଫଡ଼ିନ୍ଦ୍ର ପଧାନ,ନରେନ୍ଦ୍ର ତିହିରିଆ,ଜ୍ୟୋତିଷ ବାଙ୍କ ସମେତ ସମସ୍ତ ଗ୍ରାମବାସୀ ଦାବୀ କରୁଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ