ଭୁବନେଶ୍ୱର: କହୁ କହୁ ମଞ୍ଜ କଥାଟିଏ କହି ଦେଲେ ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ । ରାଜ୍ୟସଭାରେ ପୋଲାଭରମ ପ୍ରସଙ୍ଗରେ ଗୃହରେ ଆଲୋଚନା ସମୟରେ କେନ୍ଦ୍ରର ବିଜେପି ସରକାର ଉପରେ କ୍ଷୁବ୍ଧ ପ୍ରକାଶ କରିବା ସହ ଶାଣିତ ସ୍ୱରରେ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ବିଜେପିକୁ ସମର୍ଥନ କରି ଆମେ ଆଜି ପଶ୍ଚାତାପ କରୁଛୁ ।
ସେ ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି, ଆପଣ ଚିତ୍କାର କରି କାହାରି ସ୍ୱରକୁ ଆପଣ ଚପାଇ ପାରିବେ ନାହିଁ । ଆମେ ସେହି ଦଳ ଯିଏ ଆପଣଙ୍କୁ ସମର୍ଥନ କରି ଆଜି ତାର ଫଳ ଭୋଗୁଛୁ । ଏବେ ଆମେ ଯାହା ବି କହୁଛୁ ତାହା ମଧ୍ୟ ସତ । ଯଦି ପୋଲାଭରମ ପ୍ରକଳ୍ପ ହୁଏ ତେବେ କୋରାପୁଟର ୧୬୨ ଆଦିବାସୀ ଗ୍ରାମ ଜଳମଗ୍ନ ହୋଇଯିବ । ଏହାକୁ ଆମେ ବିରୋଧ କରୁଛୁ । କୌଣସି ଜନଶୁଣାଣି କରା ନ ଯାଇ ଆନ୍ଧ୍ର ପ୍ରଦେଶ ମନମୁଖୀ ଭାବେ ଏହି ଡ୍ୟାମ କରୁଛି, ଯାହାକୁ ଆମେ କଦାପି ଗ୍ରହଣ କରି ପାରିବୁ ନାହିଁ ଆଉ କେନ୍ଦ୍ରର ବିଜେପି ଏହାକୁ ସମର୍ଥନ କରୁଛି ବୋଲି ସୁଲତା ଦେଓ କହିଛନ୍ତି ।
ତେବେ ଏହି ପ୍ରସଙ୍ଗରେ କହୁ କହୁ ସୁଲତା ଦେଓ ବଡ କଥାଟିଏ କହିଛନ୍ତି । ସେ କହିଛନ୍ତି ଆମେ ଆପଣ(ବିଜେପି)ଙ୍କୁ ଅତୀତରେ ଅନେକ ସମର୍ଥନ ଦେଇଛୁ । କିନ୍ତୁ ତାର ଫଳ ଆଜି ନିଜେ ଭୋଗୁଛୁ । ଉଲ୍ଲେଖନୀୟ ଦୀର୍ଘ ୨୪ ବର୍ଷ ଶାସନରେ ରହିବା ସମୟରେ ବିଜେଡି ସର୍ବଦା ବିଜେପିକୁ ସମର୍ଥନ ଦେଇ ଆସିଛି । ବିଶେଷ କରି ବିଜେପି ୨୦୧୪ରେ କ୍ଷମତାକୁ ଆସିବା ପରେ ବିଜେଡି ପ୍ରତିଟି କ୍ଷେତ୍ରରେ ବିଜେପିକୁ ସମର୍ଥନ ଦେଇ ଆସିଥିଲା । ତେବେ ଏଥର ନିର୍ବାଚନ ଜିତି ବିଜେପି ଓଡିଶାରେ ପ୍ରଥମ ଥର ସରକାର ଗଢିଛି ଏବଂ ବିରୋଧୀ ଆସନରେ ବିଜେଡି ରହିଛି । ପରସ୍ପର ଦଳ ଭିତରେ ଥିବା ସୁସଂପର୍କ କମିବା ସହ ଉଭୟ ଦଳ ମୁହାଁମୁହିଁ ସ୍ଥିତିକୁ ଆସିଛନ୍ତି । ଲୋକସଭାରେ ମୂଳପୋଛ ହୋଇ ପଡିଥିବା ବିଜେଡି ଏବେ ରାଜ୍ୟସଭାରେ ନିଜର ଆଭିମୁଖ୍ୟ ଜାହିର କରୁଛି ।