ପଡ଼ୋଶୀ ଘର ଝିଅ ପ୍ରେମରେ ପଡ଼ି ସ୍ତ୍ରୀକୁ ମାରି ଝୁଲାଇ ଦେଲା ସ୍ବାମୀ !


ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କେଶପୁରରେ ଗତକାଲି ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାକୁ ନେଇ ବଡ଼ ଅଭିଯୋଗ । ମୃତ ମହିଳାଙ୍କ ବାପଘର ଲୋକେ ଆଣିଲେ ଅତ୍ୟା ଅଭିଯୋଗ । ଜ୍ବାଇଁ ପଡ଼ୋଶୀ ଘର ଝିଅ ପ୍ରେମରେ ଆମ ଝିଅକୁ ମାରଧର କରୁଥିଲା । ବାପଘରୁ ଅଧିକ ଯୌତୁକ ନଆଣିଲେ ଛାଡି ଦେବ ବୋଲି କହୁଥିଲା । ଶେଷରେ ଆମ ଝିଅକୁ ମାରିଦେଲା ବୋଲି ଅଭିଯୋଗ କରିଛନ୍ତି । ମୃତ ମହିଳା ଜଣଙ୍କ ହେଲେ ସସ୍ମିତା ସାହୁ । ସେ ଦୁଇ ବର୍ଷ ପୂର୍ବେ କେଶପୁର ଗାଁର ସୁଧୀର ସାହୁଙ୍କୁ ବିବାହ କରିଥିଲେ । ଉଭୟଙ୍କର ଏକ ଛୋଟ ଝିଅ ଅଛି ।
ସସ୍ମିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ବିବାହ ପରେ ପରେ ଝିଅଜ୍ୱାଇଁଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା । ମାତ୍ର ଧୀରେ ଧୀରେ ପଡ଼ୋଶୀ ଘର ଝିଅ ସହ ସୁଧୀରଙ୍କ ପରକିୟା ପ୍ରୀତି ଥିବା ସସ୍ମିତା ଜାଣିବାକୁ ପାଇଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଆରମ୍ଭ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ସୁଧୀର ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତାନା ଦେଉଥିଲେ । ଏନେଇ ସସ୍ମିତା ନିଜ ପରିବାର ଲୋକଙ୍କୁ ଜଣାଇବା ପରେ ସବୁ କିଛି ଠିକ୍ ହୋଇଯିବା ଆଶାରେ ସେମାନେ ସବୁ ସହି ଯିବାକୁ ଝିଅକୁ କହୁଥିଲେ । ଉଭୟ ପରିବାର ଲୋକ ମଧ୍ୟରେ ଏହାକୁ ନେଇ ଆଲୋଚନା ହୋଇଥିବା ବେଳେ ପୁଅ ଆଉ ପଡ଼ୋଶୀ ଝିଅ ସହ କଥା ହେବନି ବୋଲି କହିଥିଲା । ଏହା ମଧ୍ୟରେ ଝିଅର କଷ୍ଟ ସହି ନ ପାରି ସସ୍ମିତାଙ୍କ ମାଆ ୩୦ ହଜାର ଟଙ୍କା ଲୋନ୍ କରି ଜ୍ୱାଇଁଙ୍କୁ ଦେଇଥିଲେ । ଏହାପରେ ବି କମି ନଥିଲା ନିର୍ଯାତନା ।
ଗତକାଲି ସସ୍ମିତା ସ୍ୱାମୀଙ୍କ ସହ ନିଜ ବାପଘରକୁ ଶ୍ରାଦ୍ଧ ଭୋଜି ଖାଇବାକୁ ଯାଇଥିଲେ । ସେଠାରୁ ଫେରି ସନ୍ଧ୍ୟା ସମୟରେ ସ୍ୱାମୀଙ୍କ ମୋବାଇଲ ଦେଖୁଥିବା ବେଳେ ଉକ୍ତ ଯୁବତୀଙ୍କ ମେସେଜ ଆସିଥିଲା । ଏହାକୁ ନେଇ ଉଭୟ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ସସ୍ମିତାଙ୍କୁ ତାଙ୍କ ଶାଶୁ, ଶ୍ୱଶୁର ଓ ସ୍ୱାମୀ ମିଶି ପିଟିପିଟି ଲହୁଲୁହାଣ କରିଥିଲେ । ଏହାପରେ ତଣ୍ଟି ଚିପି ମାରିଦେବା ପରେ ଆତ୍ମହତ୍ୟାର ରୂପ ଦେବାକୁ ଫ୍ୟାନ୍ରେ ଝୁଲାଇ ଦେଇଥିବା ବାପ ଘର ଲୋକେ ଅଭିଯୋଗ କରିଛନ୍ତି ।
ଖବର ପାଇ ବାପ ଘର ଲୋକେ ପହଞ୍ଚି ସସ୍ମିତାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ । ପୋଲିସ୍ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।
ତେବେ ବୋହୂକୁ ହତ୍ୟା କରିଥିବା ଅଭିଯୋଗକୁ ସସ୍ମିତାଙ୍କ ଶ୍ୱଶୁର ସୁବାଷ ସାହୁ ଖଣ୍ଡନ କରିଛନ୍ତି । ବୋହୂ ନିଜ ରୁମ୍ କବାଟ ବନ୍ଦ କରି ଝୁଲି ପଡ଼ିଥିବା ସେ କହିଛନ୍ତି । ଏଥିସହ ସେମାନେ ତାକୁ କେବେ ବି ମାରଧର କରି ନ ଥିବା କିମ୍ବା ତା’ର ହତ୍ୟା କରି ନ ଥିବା କହିଛନ୍ତି ।
ସସ୍ମିତାଙ୍କ ପରିବାର ଲୋକଙ୍କ ଲିଖିତ ଅଭିଯୋଗ କ୍ରମେ ପୋଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସ୍ ସସ୍ମିତାଙ୍କ ଶାଶୁ ଘର ଲୋକଙ୍କୁ ପଚରାଉଚରା କରୁଥିବା ବେଳେ କାହାକୁ ଅଟକ ରଖି ନଥିବା ଜଣାଯାଇଛି ।