ନୂଆଦିଲ୍ଲୀ: ବାଜୁଥିଲା ନାୟକ ନେହିଁ ଖଳନାୟକ ହୁଁ ମେଁ… ଗୀତ । ଆଉ ଗୀତର ତାଳେ ତଳେ ନାଚିବାରେ ମସଗୁଲ ଥିଲେ ବରିଷ୍ଠ ପୋଲିସ୍ ଅଧିକାରୀ । ହାତରେ ଧରିଥିଲେ ସର୍ଭିସ ରିଭଲଭର । ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବାବୁଙ୍କୁ ସସପେଣ୍ଡ କରିଦିଆଯାଇଛି । ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ । ସସ୍ପେଣ୍ଡ ହୋଇଥିବା ଅଧିକାରୀ ଜଣକ ହେଲେ ଦିଲ୍ଲୀର ମଣ୍ଡୋଲି ଜେଲ୍ର ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ ଦୀପକ ଶର୍ମା ।
ଗତ ଗୁରୁବାର ସନ୍ଧ୍ୟାରେ ଦୀପକ ଏକ ଜନ୍ମଦିନ ପାର୍ଟିରେ ପହଞ୍ଚିଥିଲେ । ସେଠାରେ ସେ ଅନ୍ୟ କିଛି ଲୋକଙ୍କ ସହ ‘ନାୟକ ନେହିଁ, ଖଳନାୟକ ହୁଁ ମେଁ… ଗୀତର ତାଳେ ତାଳେ ନାଚିଥିଲେ । ଗୀତରେ ପୋଲିସ୍ ବାବୁ ଜଣକ ଏତେ ମସଗୁଲ ହୋଇଯାଇଥିଲେ ଯେ ପାଖରେ ଥିବା ସର୍ଭିସ ରିଭଲଭର ବାହାର କରି ବୁଲାଇବାକୁ ଲାଗିଲେ ।
ବନ୍ଧୁକ ସହ ତାଙ୍କ ଡ୍ୟାନ୍ସ ଦୃଶ୍ୟକୁ ଉପସ୍ଥିତ ଜଣେ ବ୍ୟକ୍ତି ଭିଡିଓ କରିଥିଲେ । ଏହାପରେ ସେ ତାହାକୁ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲେ । ଏପରି ଦାୟିତ୍ୱହୀନ ଆଚରଣ ପାଇଁ ତୁରନ୍ତ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୟୁଜର୍ସ ଦିଲ୍ଲୀ ପୋଲିସ୍ ଓ ତିହାର ଜେଲ୍ ପ୍ରଶାସନ ନିକଟରେ ଦାବି କରିଥିଲେ ।
ଚାରିଆଡ଼ୁ ସମାଲୋଚିତ ହେବା ପରେ ତିହାର ଜେଲ୍ ଡିଜି ଦୀପକ ଶର୍ମାଙ୍କୁ ସସ୍ପେଣ୍ଡ କରିଛନ୍ତି । ଏଥିସହ ତାଙ୍କ ବନ୍ଧୁକର ଲାଇସେନ୍ସ ରଦ୍ଦ ପାଇଁ ମଧ୍ୟ ଦିଲ୍ଲୀ ପୋଲିସର ବନ୍ଧୁକ ଲାଇସେନ୍ସ ଡିପାର୍ଟମେଣ୍ଟକୁ ପତ୍ର ଲେଖିଛନ୍ତି ଦିଲ୍ଲୀ ଡିସିପି ।