Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସମସ୍ୟା ଘେରରେ ପଲସଦା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ନା ଅଛି ଭଲ ରାସ୍ତା ନା ଅଛି ଡାକ୍ତରଙ୍କ ପାଇଁ ଘର

ଝାରସୁଗୁଡା ୧୨/ ୮ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ପଲସଦା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଅଞ୍ଚଳବାସୀ ଙ୍କ ପାଇଁ ଏକ ବରଦାନ ସଦୃଶ । ମାତ୍ର ଉକ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନେକ ସମସ୍ୟା ରହିଛି । ଏପରି କି ରୋଗୀ ମାନଙ୍କୁ ଡାକ୍ତରଖାନାକୁ ଆସିବା ପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ କି ଡାକ୍ତର, ନର୍ସ ତଥା ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ରହିବା ପାଇଁ ନା ଅଛି ଘର ଖଣ୍ଡେ । ଯାହା ଫଳରେ ଅଞ୍ଚଳବାସୀ ଆପାତ କାଳୀନ ପରିସ୍ଥିତିରେ ଠିକ ଭାବେ ସ୍ୱାସ୍ଥ୍ୟ ପାଇ ପାରୁନଥିବା ଅଭିଯୋଗ ହେଉଛି ।
ସୂଚନା ଅନୁଯାୟୀ ହୀରାକୁଦ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ ହେବା ପରେ ମୁରା ଗ୍ରାମରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରଟି ୧୯୫୬ ମସିହାରେ ପଲସଦା ଗ୍ରାମକୁ ସ୍ଥାନାନ୍ତରିତ ହୋଇ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆ ଯାଉଥିଲା । କିନ୍ତୁ ୧୯୯୨ ମସିହାରେ ସେ ସ୍ଥାନରୁ ମଧ୍ୟ ଉଠାଇ ଆଣି ପଲସଦା ନାଏକପଡ଼ା ନିକଟରେ ସରକାରଙ୍କ ତରଫରୁ ଘର ତିଆରି କରି ରୋଗୀ ମାନଙ୍କୁ ଚିକିତ୍ସା କରା ଯାଉଥିଲା । ଏହାର କିଛି ବର୍ଷର ବ୍ୟବଧାନ ପରେ ନୂତନ ଭାବେ କେବଳ ଡାକ୍ତରଖାନାକୁ ନିର୍ମାଣ କରା ଯାଇଥିବା ବେଳେ ଡାକ୍ତରଖାନାକୁ ଅଣ ଓସାରିଆ ମାଟି କାଦୁଅ ପଚ ପଚ ରାସ୍ତା ଛଡ଼ା ଭଲ ରାସ୍ତାଟିଏ ନାହିଁ, ରକ୍ଷଣାବେକ୍ଷଣ ଅଭାବରୁ ଡାକ୍ତରଖାନା ପରିସରରେ ଅନାବନା ଘାସ ଉଠି ବିପଦପୂର୍ଣ୍ଣ ପରିବେଶ ସୃଷ୍ଟି ହେବା ସହ ଅସରାଏ ବର୍ଷା ହେଲେ ଡ୍ରେସିଂ ରୁମ ଓ ଅଂଶୁଘାତ କକ୍ଷ ଛାତ୍ରରୁ ପାଣି ମଧ୍ୟ ଗଲୁଛି । ଯାହା ଫଳରେ ଡାକ୍ତର ତଥା ନର୍ସ ମାନଙ୍କୁ ଠିକ ଭାବେ ରୋଗୀ ସେବା କରିବା ମଧ୍ୟ କାଠିକର ପାଠ ହେଉଥିବା ଅନେକ ରୋଗୀ ପ୍ରକାଶ କରିଛନ୍ତି ।
ପଲସଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଟି ଦୁଇ ଶଯ୍ୟା ବିଶିଷ୍ଟ ଥିବା ବେଳେ ବର୍ତ୍ତମାନ ଏଠାରେ ଅଛନ୍ତି ଜଣେ ଏମବିବିଏସ ଓ ଅନ୍ୟ ଜଣେ ଆୟୁଷ ଡାକ୍ତର, ଜଣେ ଷ୍ଟାଫ ନର୍ସ ,ଦୁଇ ଜଣ ଏଏନଏମ, ଦୁଇ ଜଣ ଏଟେଣ୍ଡେନ୍ସ କମ ସୁଇପର ଏବଂ ଜଣେ ସୁରକ୍ଷା କର୍ମୀ ଅଛନ୍ତି । କିନ୍ତୁ ରହିବା ପାଇଁ କୌଣସି ଷ୍ଟାଫ କ୍ବାଟର ନ ଥିବା ଯୋଗୁଁ ସେମାନେ ଦୂର ସ୍ଥାନରେ ଭଡ଼ା ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ସେହିପରି ଏଠାରେ ଆମ୍ବୁଲାନ୍ସ ସେବାର କୌଣସି ବ୍ୟବସ୍ଥା ନ ଥିବା ଯୋଗୁଁ ଆପାତ କାଳୀନ ବେଳେ ରୋଗୀ ମାନେ ନାହିଁ ନ ଥିବା ଅସୁବିଧା ଭୋଗ କରୁଥିବା ଅଭିଯୋଗ ହେଉଛି । ବିଶେଷ କରି ଜାମଗାଁ, କତରବଗା, ମଚିଦା, ପଲସଦା, ପଞ୍ଚଗାଁ,ଅତାବିରା ଏବଂ ଭିକମପାଲି ଏପରି ୭ ଟି ପଞ୍ଚାୟତର ପ୍ରାୟ ୨୦ ହଜାରରୁ ଅଧିକ ଲୋକ ଉକ୍ତ ପ୍ରାଥମିକ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଉପରେ ନିର୍ଭର କରି ଆସୁଛନ୍ତି । ଏହା ସହିତ ୪୯ ନମ୍ବର ଜାତୀୟ ରାଜପଥରେ ପ୍ରାୟ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାର ସଡକ ଦୁର୍ଘଟଣା ଘଟୁଛି । ତେଣୁ ପଲସଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୨୦ ଶଯ୍ୟା ବିଶିଷ୍ଟ କରିବା ସହ ଡାକ୍ତରଖାନା ମୁଖ୍ୟ ରାସ୍ତା ନିର୍ମାଣ କରିବା, ଡାକ୍ତର, ନର୍ସ ମାନଙ୍କ ରହିବା ପାଇଁ କ୍ବାଟର ନିର୍ମାଣ କରିବା, ଡାକ୍ତରଖାନା ପରିସରକୁ ସଫା ସୁତୁରା କରିବା ସହ ଚାରିଆଡ଼େ ଆଲୋକ ବ୍ୟବସ୍ଥା କରିବା ନିମନ୍ତେ ଅଞ୍ଚଳବାସୀ ଦାବି କରୁଛନ୍ତି । ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜୟକୃଷ୍ଣ ନାୟକଙ୍କୁ ଯୋଗାଯୋଗ କରିବାକୁ ସେ କହିଛନ୍ତି ଯେ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ କୁ ଦାୟିତ୍ବ ଦିଆଯାଇଛି ଏବଂ ଅନ୍ୟ ଯେଉଁ ସବୁ ଆନୁସାଙ୍ଗିକ ସମସ୍ୟା ଗୁଡ଼ିକ ରହିଛି ତର୍ଜମା କରି ଯଥାଶୀଘ୍ର ଉଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

More Stories