ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ


ଗଞ୍ଜାମ: ପାଟପୁର ଥାନା ହଂସରାଳିରେ ଜଣେ ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ବ୍ୟକ୍ତି ଜଣଙ୍କ ନିଜ ଚାଷ ଜମିରେ କାମ ସାରି ଫେରୁଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବ୍ୟକ୍ତି ଜଣଙ୍କ ହେଲେ ସୁଦର୍ଶନ ସାହୁ । ସେ ଡେଙ୍ଗାଡି ବିଦ୍ୟୁତ୍‌ ବିଭାଗରେ ଲାଇନ ମ୍ୟାନ ଭାବେ କାମ କରନ୍ତି ।
ଗତକାଲି ସୁଦର୍ଶନ ନିଜ ଚାଷ ଜମିକୁ କାମ କରିବାକୁ ଯାଇଥିଲେ । ସେଠାରୁ ସେ ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଅତର୍କିତ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି ।
ଖବର ପାଇ ପରିବାର ଲୋକେ ତୁରନ୍ତ ତାଙ୍କୁ ଆଡ଼ପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ଅବସ୍ଥା ଗୁରୁତର ହେବାକୁ ତାଙ୍କୁ ବ୍ରହ୍ମପୁର MKCGକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି ।
ପୋଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଏହି ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ଦୁର୍ବୃତ୍ତଙ୍କ ଚିହ୍ନଟ ହୋଇ ପାରିନି ।