ଭୁବନେଶ୍ବର: ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା କମିଟି ସଦସ୍ୟ ଓ ସଭାପତି ପଦବୀରୁ ବିଜେଡି ନେତା ଟି ପ୍ରସାଦରାଓ ଦୋରା ହେଲେ ବିଦା । କ୍ଷମତାର ଅପବ୍ୟବହାର କରି ସେ ନେଇଥିବା ବ୍ୟାଙ୍କ ଟଙ୍କା ମଧ୍ୟ ତାଙ୍କଠୁ ଫେରସ୍ତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଦୋରାଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପରେ ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା କମିଟି ପାଇଁ ପୁଣି ଥରେ ନିର୍ବାଚନ ହେବାର ସମ୍ଭାବନା ଦେଖାଦେଇଛି ।
ସୂଚନା ଅନୁସାରେ, ବିଜେଡି ନେତା ଦୋରାଙ୍କର ଉଭୟ ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା କମିଟିର ସଦସ୍ୟତା ଓ ପରିଚାଳନା କମିଟିର ସଭାପତି ପଦବୀକୁ ତତ୍କାଳ ପ୍ରଭାବରୁ ରଦ୍ଦ ଘୋଷଣା କରାଯାଇଛି । ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ପ୍ରଭୁକଲ୍ୟାଣ ପଟ୍ଟନାୟକ ଚଳିତମାସ ୯ ତାରିଖରେ ଦୋରାଙ୍କୁ ଚିଠି ଲେଖି ରାଜ୍ୟ ସମବାୟ ସୋସାଇଟି ରେଜିଷ୍ଟ୍ରାରଙ୍କ ନିର୍ଦ୍ଦେଶ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ଅବଗତ କରାଇଛନ୍ତି । ଗତ ଜୁଲାଇ ୩୧ ତାରିଖରେ ସମବାୟ ରେଜିଷ୍ଟ୍ରାର ଦୋରା ସଭାପତି ଥିବା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା କମିଟିକୁ ତତ୍କାଳ ନିଲମ୍ବିତ କରିଥିଲେ ।
ସେହିପରି ରାଜ୍ୟ ସମବାୟ ବିଭାଗ ସୂତ୍ରରୁ ଜଣାପଡ଼ିଛି, ଦୋରାଙ୍କ ବିରୋଧରେ ଆସିଥିବା ଅର୍ଥ ତୋଷାରପାତ ଅଭିଯୋଗର ପ୍ରମାଣ ମିଳିସାରିଥିବାରୁ ସମ୍ପୃକ୍ତ ଅର୍ଥକୁ ତାଙ୍କଠୁ ଆଦାୟ ନିମନ୍ତେ ଆଇନଗତ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଆବଶ୍ୟକ ପଡ଼ିଲେ ଏହି ଅର୍ଥ ତୋଷାରପାତ ଘଟଣାର ତଦନ୍ତ ପାଇଁ ଭିଜିଲାନ୍ସ ବିଭାଗକୁ ସୁପାରିଶ କରାଯିବ । ଯେହେତୁ ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ବୋର୍ଡକୁ ନିଲମ୍ବନ ସହ ଦୋରାଙ୍କୁ ଅଯୋଗ୍ୟ ଘୋଷଣା କରି ବିଦା କରାଯାଇଛି, ତେଣୁ ‘ଆପେକ୍ସ ବ୍ୟାଙ୍କ ସଭାପତି’ ପଦ ପାଇଁ ଆଉ ଥରେ ନିର୍ବାଚନ ହେବାର ସମ୍ଭାବନା ରହିଛି । ମାତ୍ର ଏନେଇ ସରକାରଙ୍କ ସବୁଜ ସଙ୍କେତ ମିଳିବା ପରେ ହିଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
୨୦୨୩ ମସିହାରେ ରାଜ୍ୟ ସମବାୟର ଶୀର୍ଷ ବ୍ୟାଙ୍କ ଭାବେ ପରିଚିତ ‘ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ’ର ପରିଚାଳନା କମିଟିକୁ ଦୋରା ନିର୍ବାଚିତ ହୋଇଥିଲେ । ବିଜେଡିର ପ୍ରତିନିଧି ଭାବେ ସମବାୟ ବ୍ୟାଙ୍କ ସଭାପତି ପଦ ହାତେଇବାରେ ସକ୍ଷମ ହୋଇଥିଲେ ଦୋରା । ତେବେ ଗତ ମେ’ ମାସରେ ନାବାର୍ଡ କର୍ତ୍ତୃପକ୍ଷଙ୍କ ଖୋଳତାଡ଼ ପରେ ଦୋରାଙ୍କ ବିରୋଧରେ ଆସିଥିବା ବିଭିନ୍ନ ଅର୍ଥ ତୋଷାରପାତ ଅଭିଯୋଗର ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । ୩ ଜଣିଆ ଉଚ୍ଚସ୍ତରୀୟ କମିଟି ତଦନ୍ତ କରି ଦୋରାଙ୍କ ବିରୋଧରେ ରହିଥିବା ଅଭିଯୋଗକୁ ସତ ବୋଲି ପ୍ରମାଣ ପାଇଥିଲେ । ଯାହାକୁ ଆଧାର କରି ରାଜ୍ୟ ସମବାୟ ସୋସାଇଟି ରେଜିଷ୍ଟ୍ରାର ଗତ ଜୁଲାଇ ୩୧ ତାରିଖରେ ଓଡ଼ିଶା ସମବାୟ ସୋସାଇଟି ଆକ୍ଟ-୧୯୬୨ର ଧାରା ୨୬(୩-କ) ପ୍ରାବଧାନରେ ଦୋରାଙ୍କ ସଦସ୍ୟ ପଦକୁ ଅଯୋଗ୍ୟ ଘୋଷଣା କରିଥିଲେ । ଏହାସହ ଉକ୍ତ ଦିନ ମଧ୍ୟ ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ବୋର୍ଡକୁ ନିଲମ୍ବିତ କରିଥିଲେ । ଆଉ ବ୍ୟାଙ୍କ ସୁପରିଚାଳନା ପାଇଁ ସମବାୟ ବିଭାଗର ସଚିବ ରାଜେଶ ପ୍ରଭାକର ପାଟିଲଙ୍କୁ ପରିଚାଳନା ଦାୟିତ୍ୱ ନ୍ୟସ୍ତ କରିଥିଲେ ।