ଭୁବନେଶ୍ବର: ଦେଶ ତଥା ରାଜ୍ୟ ୭୮ତମ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ କର୍ମଜୀବୀ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ଏଣିତି ଋତୁସ୍ରାବ ପାଇଁ ଉଭୟ ସରକାରୀ ଓ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ମହିଳାଙ୍କୁ ମିଳିବ ଦିନେ ଛୁଟି ।
ଉପମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା ହୋଇଥିବା ଏହି ନିୟମ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ପାଇଁ ଲାଗୁ ହେବ । ରାଜ୍ୟ ସରକାର ଖୁବଶୀଘ୍ର ଋତୁସ୍ରାବ ସ୍ୱାସ୍ଥ୍ୟ ନୀତି ଆଣିବାକୁ ଯାଉଛନ୍ତି । ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରଥମ ୧୦୦ ଦିନିଆ କାର୍ଯ୍ୟ ଭିତରେ ଏପରି ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଋତୁସ୍ରାବ ସମୟରେ ଛୁଟି ଦେବା ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲା । ଏହା ଏବେ କାର୍ଯ୍ୟକାରୀ ହେବାକୁ ଯାଉଛି ।
ପୂର୍ବରୁ ବିହାର ଓ କେରଳ ସରକାର ଋତୁସ୍ରାବ ପାଇଁ ମହିଳା କର୍ମଚାରୀଙ୍କୁ ଛୁଟି ଦେଆଯାଉଛି । ଏବେ ଓଡ଼ିଶା ମହିଳା କର୍ମଚାରୀଙ୍କ ପାଇଁ ବଡ଼ ପଦକ୍ଷେପ ନେବାକୁ ଯାଉଛି । ଉଭୟ ସରକାରୀ ଓ ଘରୋଇ ସଂସ୍ଥାର କାମ କରୁଥିବା ମହିଳାଙ୍କୁ ମିଳିବ ଏହି ସୁବିଧା । ଏହି ଛୁଟି ଅପସନାଲ ରହିବ । ପୂର୍ବରୁ ମହିଳାଙ୍କୁ ମାସିକ ଋତୁଚକ୍ର ଛୁଟି ନେଇ ସୁପ୍ରିମକୋର୍ଟରେ ଏକ ପିଟିସନ୍ ଦାଖଲ ହୋଇଥିଲା । ମାତ୍ର ସୁପ୍ରିମକୋର୍ଟ ଏଥିର ଶୁଣାଣି କରିବାକୁ ମନା କରିଦଇଥିଲେ ।