ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ଼ ବାବୁ, ଚାଲିଛି କଳା ଟଙ୍କାର ହିସାବ


ଭୁବନେଶ୍ବର: ସରକାର ବଦଳିବା ପରେ ଲାଞ୍ଚୁଆ ସରକାରୀ ବାବୁଙ୍କ ନିଦ ହଜିଛି । ଫୁଲ୍ ଆକ୍ସନକୁ ଆସିଛି ଭିଜିଲାନ୍ସ । ଜଣଙ୍କ ପରେ ଜଣେ ବଡ଼ ବାବୁ ପଡୁଛନ୍ତି ଭିଜିଲାନ୍ସ ଜାଲରେ । ଘରେ ପଶିବା ପରେ ଯାହା ଦେଖୁଛି ଆଖି ଖୋସି ହୋଇ ଯାଉଛି । କାହା ଘରୁ ଗହଣା ଦୋକାନ ଭଳି ସୁନା, ହିରା ଅଳଙ୍କାର ବାହାରୁଛି ତ କାହର ମାଳ ମାଳ ବିଲ୍ଡିଂ, ଫ୍ଲାଟ ବାହାରୁଛି । ବାବୁମାନଙ୍କ ଅମାପ ସମ୍ପତ୍ତି ଦେଖି ଭିଜିଜିଲାନ୍ସ ଅଧିକାରୀଙ୍କ ସମେତ ସାଧାରଣ ଲୋକେ ବି ତାଜୁବ । ଆଜି ସକାଳେ ପୁଣି ଜଣେ ଅଧିକାରୀଙ୍କ ଘରେ ପଶିଛି ଭିଜିଲାନ୍ସ । 

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦ୍ରାପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ରଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ପ୍ରଦୀପଙ୍କ କଟକ ନୂଆପଡ଼ାରେ ଥିବା ପୈତୃକ ଘର ସମେତ କଟକ ମଧୁପାଟଣାରେ ଥିବା ଘର, ଭୁବନେଶ୍ୱର ଲିଙ୍ଗିପୁରରେ ଥିବା ୨ ମହଲା କୋଠା, କଟକ କଲ୍ୟାଣପୁରରେ ଥିବା ସମ୍ପର୍କୀୟ ଘର ଓ କେନ୍ଦ୍ରାପଡ଼ାଥିବା ଘର ଓ ଅଫିସରେ ଚଢ଼ାଉ କରାଯାଇଛି ।

ପ୍ରଦୀପ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା କୋର୍ଟରେ ଏକାଧିକ ପିଟିସନ ହୋଇଥିଲା । ପରେ ଘଟଣା ତଦନ୍ତ କରାଯାଇ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । କୋର୍ଟ ଏହି ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ଏହି ଚଢ଼ାଉରେ ୪ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର ସହ ଅନ୍ୟ ଭିଜିଲାନ୍ସ ଅଧିକାରୀ ସାମିଲ ହୋଇଛନ୍ତି ।