ରିଆମାଳ ବିଡିଓଙ୍କ ମତିଭ୍ରମ ନା ପାଗଳାମୀ, ସୁବାସ ପାଣିଗ୍ରାହୀଙ୍କୁ କରି ଦେଲେ ବିଧାୟକ


ଦେବଗଡ: ରିଆମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ) ଉଗ୍ରସେନ ଓରାମଙ୍କ ମତିଭ୍ରମ । ତାଙ୍କ ଖାମଖିଆଲି ମନବୃତ୍ତି ପୂର୍ବତନ ବିଧାୟକଙ୍କୁ କରି ଦେଲେ ବିଧାୟକ । ଆଉ ବର୍ତ୍ତମାନ ବିଧାୟକଙ୍କୁ ପ୍ରତି କଲେ ଅବିଚାର । ରିଆମାଳ ବ୍ଲକ କରଲଗା ପଞ୍ଚାୟତ ଦଲକ ଗ୍ରାମରେ ନିର୍ମିତ ମହିମା ମଠ ନୂତନ କମ୍ୟୁନିଟି ସେଣ୍ଟର ଉଦଘାଟନ ଫଳକରେ ଭୁଲ ନାମ ଦେଇ ଅଡୁଆରେ ବିଡିଓ । ପଞ୍ଚାୟତି ରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାୟକ ଆସି ଏହି ଫଳକୁ ଉଦଘାଟନ କରିଥିଲେ । ଫଳରେ ବିଧାୟକଙ୍କ ନାମ ଭୁଲ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ବର୍ତ୍ତମାନ ବିଧାୟକ ରୋମାଞ୍ଚରଞ୍ଜନ ବିଶ୍ୱାଳ ଥିବା ବେଳେ ପୂର୍ବ ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ନାମ ଦେଇ ବିଧାୟକ ଲେଖା ହୋଇଛି । ଏହା ବିଧାୟକ ପାଣ୍ଠିରୁ ନିର୍ମିତ ହୋଇଥିଲେ ମଧ୍ୟ ବର୍ତ୍ତମାନ ବିଧାୟକ ରୋମାଞ୍ଚରଞ୍ଜନ ବିଶ୍ୱାଳ ଅଛନ୍ତି । ଫଳକରେ ଆଜିର ତାରିଖ ୧୬.୦୮.୨୦୨୪ ଥିବା ବେଳେ ପୂର୍ବତନ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ନାମ କେଉଁ ଆଧାରରେ ଦିଆଯାଇଛି ତାହା ପ୍ରଶ୍ଚବାଚୀ ସୃଷ୍ଟି ହୋଇଛି । ଏହା ତଦନ୍ତ ସାପେକ୍ଷ ବୋଲି ଜନ ସାଧାରଣରେ ଦାବି ହୋଇଛି । ତେବେ ପ୍ରଶ୍ନ ଉଠୁଛି କମ୍ୟୁୁନିଟି ସେଣ୍ଟରର ଉଦଘାଟନ ସମୟରେ ବିଡିଓ ଉଗ୍ରସେନ ଓରାମ, କନିଷ୍ଠ ଯନ୍ତ୍ରୀ ଭୋଳା ମାଝୀ ଏବଂ ସହକାରୀ ଯନ୍ତ୍ରୀ କରଣ ହାଁସଦା କେମିତି ଫଳକକୁ ଦେଖି ପାରିଲେ ନାହିଁ । ବ୍ଲକ ପ୍ରଶାସନର ଖାମଖିଆଲି ମନୋଭାବ ପାଇଁ ଏମିତି ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନା ଥାଉ, ବିଡିଓ ଯେ କୌଣସି କାମରେ ବିଲ ଆସିଲେ ତିନି ଥର ଦେଖୁଥିଲେ ମଧ୍ୟ ଫଳକରେ ଏତେ ବଡ ତ୍ରୁଟିକୁ କେମିତି ଦେଖି ପାରିଲେ ନାହିଁ ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘଟଣା ବିଷୟରେ ସୂଚନା ନେବା ପାଇଁ ବିଡିଓ, କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ ବାରମ୍ବାର ଫୋନ କରିଥିଲେ ହେଁ ତିନି ଜଣ ଫୋନ ଉଠାଇ ନ ଥିଲେ ।