ଭୁବନେଶ୍ବର: କଲେଜ ଓ ବିଶ୍ବବିଦ୍ୟାଳୟରେ ପୁଣି ଆରମ୍ଭ ହେବ ଛାତ୍ର ସଂସଦ ନିର୍ବାଚନ । ଆସନ୍ତା ବର୍ଷରୁ ନିର୍ବାଚନ ହେବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନୂଆହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ୪୫ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅଥିତି ଭାବେ ଯୋଗ ଦେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହା କହିଛନ୍ତି । ଆସନ୍ତା ବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ ହେବା ପାଇଁ ଆଇନ ମନ୍ତ୍ରୀ ସ୍ପଷ୍ଟୀକରଣ ରଖିଛନ୍ତି।
ସେପ୍ଟେମ୍ବର ମାସରେ କଲେଜ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥାଏ । ହେଲେ ନୂଆ ସରକାର ଗଠନ ହେବା ପରଠୁ ଯଥେଷ୍ଟ ସମୟ ନଥିବାରୁ ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ହୋଇ ପାରିବ ନାହିଁ । ଛାତ୍ର ସଂସଦ ନିର୍ବାଚନ ପାଇଁ କଲେଜ ଓ ବିଶ୍ଵବିଦ୍ୟାଳୟଗୁଡିକୁ ପ୍ରସ୍ତୁତ କରାଯିବ । ଆସନ୍ତାବର୍ଷ କଲେଜ ଗୁଡିକରେ ଛାତ୍ର ସଂସଦ ନିର୍ବାଚନ ହେବା ନେଇ ନିଷ୍ପତ୍ତି ହୋଇଥିବା ଆଇନ ମନ୍ତ୍ରୀ କହିଛନ୍ତି ।