ଚାକିରିକୁ ନେଇ ପାରିବାରିକ କଳହ, ଦୋକାନରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର


ଗଞ୍ଜାମ: ପତ୍ନୀଙ୍କ ଚାକିରି କରିବାକୁ ନେଇ ସ୍ବାମୀ ଥିଲେ ଅସନ୍ତୁଷ୍ଟ । ସବୁବେଳେ ଚାକିରି ଛାଡ଼ିବାକୁ କରୁଥିଲେ ବାଧ୍ୟ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଲାଗି ରହୁଥିଲା କଳହ । ଆଉ ଶେଷରେ ଆଜି ସକାଳୁ ଏକ ଦୋକାନ ଘରୁ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପତ୍ନୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିବା ବେଳେ ସ୍ୱାମୀଙ୍କ ମୃତଦେହ ଚଟାଣରେ ପଡ଼ିଥିଲା ।
ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ୱର ଅଞ୍ଚଳରେ । ମୃତ ଦମ୍ପତି ହେଲେ ଦିଲୀପ ଦଳେଇ ଏବଂ ରଶ୍ମୀତା ଦଳେଇ ।
ଦିଲୀପ ଏକ ଚା’ ଦୋକାନ କରିଥିବା ବେଳେ ପତ୍ନୀ ରଶ୍ମୀତା କୃଷି ମିତ୍ର ଭାବେ କାମ କରୁଥିଲେ । ଉଭୟଙ୍କର ଏକ ପୁଅ ଓ ଝିଅ ଥିବା ବେଳେ ସେମାନେ ଅଜା ଘରେ ରହୁଥିଲେ । ଅଭିଯୋଗ ଅନୁସାରେ ରଶ୍ମୀତାଙ୍କୁ ଚାକିରି ଛାଡ଼ିବାକୁ ଦିଲୀପ ବାଧ୍ୟ କରୁଥିଲେ । ହେଲେ ରଶ୍ମୀତା ଏଥିରେ ରାଜି ନଥିଲେ । ଏହାକୁ ନେଇ ପତିପତ୍ନୀଙ୍କ ମଧ୍ୟରେ କିଛିଦିନ ହେବ କଳହ ଲାଗି ରହିଥିଲା ।
ଗତ ରାତିରେ ଉଭୟ ଲଙ୍ଗଳେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ନିଜ ଦୋକାନରେ ଶୋଇଥିଲେ । ମାତ୍ର ଆଜି ସକାଳୁ ସେମାନେ ନ ବାହାରିବାରୁ ସ୍ଥାନୀୟ ଲୋକେ ପୋଲିସ୍‌କୁ ଖବର ଦେଇଥିଲେ ।
ପୋଲିସ୍‌ ପହଞ୍ଚି କବାଟ ଭାଙ୍ଗି ଭିତରେ ପଶିଥିଲା । ଭିତରେ ରଶ୍ମୀତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଓ ଦିଲୀପଙ୍କ ମୃତଦେହ ଚଟାଣରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଉଭୟ ଆତ୍ମହତ୍ୟା କରିଛନ୍ତି ନା ଏହା ଏକ ହତ୍ୟା ତାହା ତଦନ୍ତ ସାପେକ୍ଷ । ତେବ ଉଭୟ ଯଦି ଆତ୍ମହତ୍ୟା କରିଛନ୍ତି ତେବେ ଦିଲୀପ କିପରି ଆତ୍ମହତ୍ୟା କରିଛନ୍ତି ତାହା ବି ସନ୍ଦେହ ଘେରରେ । ପୋଲିସ୍‌ ଦମ୍ପତିଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।