ଚିଖିଲାପାଲି ଶ୍ରାବଣୀ ରୁଦ୍ରାଭିଷେକ ଯଜ୍ଞ ଉଦଯାପିତ


ଝାରସୁଗୁଡା ୧୯/୮ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଭିକମପାଲି ପଞ୍ଚାୟତ ଅନ୍ତର୍ଗତ ଚିଖିଲାପାଲି ଶିବ ମନ୍ଦିରରେ ଏକ ମାସ ଧରି ଚାଲିଥିବା ଆଞ୍ଚଳିକ ଶ୍ରାବଣୀ ରୁଦ୍ରାଭିଷେକ ଯଜ୍ଞ ଉଦଯାପିତ ହୋଇ ଯାଇଛି । ଶ୍ରାବଣ ମାସର ପ୍ରଥମ ସୋମବାର ଦିନ ଅଧିବାସ, ଅଙ୍କୁରାରୋପଣ କରାଯିବା ପରେ ନିକଟସ୍ଥ ବନ୍ଧରୁ ଜଳପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରି ପୂଜକଙ୍କ ଦ୍ୱାରା ପୂଜାର୍ଚ୍ଚନା କରିବା ସହ ହୋମ କାର୍ଯ୍ୟ ଆଦି ଆରମ୍ଭ କରା ଯାଇଥିଲା । ରୁଦ୍ରାଭିଷେକ ଯଜ୍ଞର ପ୍ରଥମ ଦିବସରେ ବିପ୍ଳବ ସାଏ ଓ ପତ୍ନୀ ଦୀପାଞ୍ଜଳି ସାଏ ଏବଂ ଶେଷ ସୋମବାର ଅର୍ଥାତ ଆଜିର ଉଦଯାପନୀ ଦିବସରେ ସୁବର୍ଣ୍ଣ ଦାସ ଓ ପତ୍ନୀ ତପସ୍ୱିନୀ ଦାସ ପୂଜା କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିବା ବେଳେ ପଣ୍ଡିତ ନରେଶ ନାଥ, ପଣ୍ଡିତ ନରେନ୍ଦ୍ର ନାଥ ପୂଜାର୍ଚ୍ଚନ,ହୋମଯଜ୍ଞ ଆଦି କାର୍ଯ୍ୟ ସମ୍ପାଦନ କରିଥିଲେ ଏବଂ ମନ୍ଦିର ପୂଜକ ମନୋଜ ପୂଜାରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ସେହିଭଳି ମାସର ପ୍ରତ୍ୟେକ ଦିନ ମାନଙ୍କରେ ଅଞ୍ଚଳର ବିଭିନ୍ନ ଗ୍ରାମରୁ ମଧ୍ୟ ୩୮ ଜଣ ସପତ୍ନୀ ସହ ପୂଜାକର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିଲେ । ଶେଷରେ ସମସ୍ତ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରା ଯାଇଥିଲା ।
ଚିଖିଲାପାଲି ଶ୍ରାବଣୀ ଯଜ୍ଞ ପରିଚାଳନା କମିଟି ପକ୍ଷରୁ କୃଷ୍ଣଚନ୍ଦ୍ର ପଟେଲ, ଅମୂଲ୍ୟ ନାଥ,ଗଜାନନ ପଟେଲ, ଶମ୍ଭୁ ନାଥ, କଷ୍ଟ ବାଗେ, ନେପାଳ ପଟେଲ, ଲଲିନ୍ଦ୍ର ପଟେଲ, ଦେବଦତ୍ତ ନାଥ, ଗୋବର୍ଦ୍ଧନ ନାଥ ପ୍ରମୁଖ ସହଯୋଗ କରିଥିଲେ ।