ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀ ଗଳା କାଟି ଫେରାର ହେଉଥିବା ବେଳେ ଭାଇ ଉପରେ ମାଡ଼ିଗଲା ବସ୍


ଗଞ୍ଜାମ: ଗତକାଲି ଥିଲା ରାକ୍ଷୀ ପୂର୍ଣ୍ଣିମ । ଭାଇର ଦୀର୍ଘାୟୁ କାମନ କରିବା ସହ ନିଜର ସୁରକ୍ଷା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧିଥିଲା ଭଉଣୀ । ହେଲେ ସଇତାନ ଭାଇ ଭୁଲି ଯାଇଥିଲା ଭାଇ, ଭଉଣୀର ସମ୍ପର୍କକୁ । ରାକ୍ଷୀ ବାନ୍ଧିବା ବେଳେ ଭଉଣୀ ଗଳା କାଟି ହୋଇଯାଇଥିଲା ଫେରାର । ତାହାର ଏହି କୁକର୍ମ ପାଇଁ ଭଗବାନ ତାକୁ ଦେଇଛନ୍ତି ମୃତ୍ୟୁଦଣ୍ଡ । ଫେରାର ହେବା ବେଳେ ରାକ୍ଷସ ରୂପୀ ଏହି ଭାଇ ଉପରେ ବସ୍ ମାଡ଼ିଯାଇ ଚାଲିଯାଇଛି ତାର ଜୀବନ । ଘଟଣା ଗତକାଲି ଗଞ୍ଜାମ ଜିଲ୍ଲା ବଡ଼ବଜାର ଥାନା ଅଞ୍ଚଳରେ ଘଟିଛି । କାଲି ଭଉଣୀକୁ ମାରିଥିବା ଭାଇ ଆଶୁତୋଷ ପାଣିଗ୍ରାହୀ (୨୪) ଆଜି ମରିଛି ।

ସୂଚନା ଅନୁସାରେ, ୧୩ ବର୍ଷୀୟା ପ୍ରଯୋକ୍ତା ପାଣିଗ୍ରାହୀ ଓ ତାଙ୍କ ଭାଇ ଆୟୁଷ୍ମାନ ପାଣିଗ୍ରାହୀ ବଡ଼ବଜାର ଥାନା ସପ୍ତମ ଗଳିରେ ରହୁଥିବା ନିଜ ସମ୍ପର୍କୀୟ ବଡ଼ବାପାଙ୍କ ଘରକୁ ଗତକାଲି ଯାଇଥିଲେ । ଘରର ତଳ ମହଲାରେ ପୂଜା ଚାଲିଥିବା ବେଳେ ଉପର ମହଲାରେ ପ୍ରଯୋକ୍ତା, ଭାଇ ଆୟୁଷ୍ମାନ ଓ ସମ୍ପର୍କୀୟ ଭାଇ ଆଶୁତୋଷ ଥିଲେ । ହଠାତ୍‌ ଚିତ୍କାର ଶୁଣି ପରିବାର ଲୋକେ ଉପର ମହଲାକୁ ଧାଇଁ ଯାଇଥିଲେ ।

ସେତେବେଳେ ଚଟାଣରେ ରକ୍ତ ଜୁଡୁବୁଡ଼ୁ ହୋଇ ପଡ଼ିଥିଲେ ପ୍ରଯୋକ୍ତା ଓ ଆୟୁଷ୍ମାନ । ଉଭୟଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ଛୁରୀ ମାଡ଼ ହୋଇଥିଲା । ହେଲେ ନଥିଲା ଆଶୁତୋଷ । ସିଏ କୁଆଡ଼େ ଉଉଣୀ ଓ ଭାଇକୁ ଛୁରା ମାଡ଼ କରି ଚମ୍ପଟ ମାରିଥିଲା । ପରିବାର ଲୋକ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ପ୍ରଯୋକ୍ତାଙ୍କୁ ମୃତ ଘୋଷଣା କରିଥିଲେ । ଆୟୁଷ୍ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦବେଗଜନକ ରହିଛି।

ଭଉଣୀ, ଭାଇଙ୍କୁ ଛୁରୀ ଭୁଶିବା ପରେ ଧରା ପଡ଼ିଯିବା ଭୟରେ ଅଭିଯୁକ୍ତ ଆଶୁତୋଷ ହିଞ୍ଜିଳିକାଟୁ ନିକଟସ୍ଥ ପୋଚିଲୀମାଠାରେ ଏକ ଚଳନ୍ତା ସରକାରୀ ବସରେ ଚଢ଼ିବାକୁ ଉଦ୍ୟମ କରୁଥିଲା । ମାତ୍ର ବସର ବେଗ ଅଧିକ ଥିବାରୁ ସେ ଖସି ପଡିଥିଲା । ଫଳରେ ବସଟି ତା’ଉପରେ ଚଢ଼ିଯାଇଥିଲା । ଗୁରୁତର ଅବସ୍ଥାରେ ତାକୁ ହିଞ୍ଜିଳିକାଟୁ ମେଡିକାଲ ଓ ପରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି ।