ଭୁବନେଶ୍ବର: ତେଲ ପକାଇବାକୁ ପେଟ୍ରୋଲ ପମ୍ପକୁ ଯାଇଥିଲେ । ହେଲେ କିଏ ଜାଣିଥିଲା ସେହି ପେଟ୍ରୋଲ ପମ୍ପ ହେବ ତାଙ୍କ ଶେଷ ଠିକଣା । ରାଜଧାନୀର ଏକ ପେଟ୍ରୋଲ ପମ୍ପକୁ ତେଲ ପକାଇବାକୁ ଯାଇଥିବା ବେଳେ ହଠାତ ତଳେ ପଡି ଯାଇଥିଲେ ଜଣେ ବ୍ୟକ୍ତି । ସେହିଠାରେ ଚାଲିଯାଇଥିଲା ତାଙ୍କ ପ୍ରାଣ ।
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପରେ ଏପରି ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି । ବ୍ୟକ୍ତି ଜଣକ ସେଠାରେ ପହଞ୍ଚି ନିଜ ବାଇକ୍ରେ ପେଟ୍ରୋଲ ପକାଇଲେ । ଟଙ୍କା ଦେଇ ସାରି ବାଇକ ଷ୍ଟାର୍ଟ କରିବା ସମୟରେ ହଠାତ ତଳେ ପଡିଗଲେ । ଏହାଦେଖି ସେଠାରେ ଉପସ୍ଥିତ ପେଟ୍ରୋଲ ପମ୍ପ କର୍ମଚାରୀ ତୁରନ୍ତ ତାଙ୍କୁ ଉଠାଇ ଏକ ସ୍ଥାନରେ ବସାଇ ଦେଇଥିଲେ । ସେଠାରେ ଉପସ୍ଥିତ ଜଣେ ସାମ୍ବାଦିକ ତାଙ୍କୁ ତତ୍କ୍ଷଣାତ CPR ଚିକିତ୍ସା ଦେଇଥିଲେ । ଜଣଙ୍କର ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟା ଦେଖାଦେଲେ ବା ହୃତସ୍ପନ୍ଦନ ବନ୍ଦ ହେବା ଅବସ୍ଥାରେ ଏଭଳି ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା କରାଯାଇଥାଏ । CPR ଚିକିତ୍ସା ପାଇବା ପରେ ବ୍ୟକ୍ତି ଜଣକ ସାମାନ୍ୟ ସୁସ୍ଥ ହୋଇଥିଲେ । ପରେ ପିସିଆର ଭ୍ୟାନ ଆସି ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା । ତେବେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳି ପାରିନାହିଁ। ମାତ୍ର ତାଙ୍କ ଫୋନ୍କୁ ଆସିଥିବା କଲ୍ ଯୋଗେ ତାଙ୍କ ପରିବାର ନିକଟରେ ଏହି ଦୁଃଖଦ ଖବର ପହଞ୍ଚାଇ ଦିଆଯାଇଛି ।