ବିଷାକ୍ତ ମଦ ପିଇବା ଘଟଣାରେ ଆଉ ଜଣଙ୍କ ମୃତ୍ୟୁ


ବ୍ରହ୍ମପୁର: ବିଷାକ୍ତ ମଦ ନେଲା ଆଉ ଜଣଙ୍କ ଜୀବନ । ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି । ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଜେନାପୁର ଗାଁର ଲୋକନାଥ ବେହେରାଙ୍କ ମୃତ୍ୟୁ ଘଟିଛି । ଲୋକନାଥଙ୍କ ସାଙ୍ଗରେ ମଦ ପିଇବାକୁ ଯାଇଥିବା ଜୁର ବେହେରାଙ୍କର ଆଜି ସକାଳେ ମୃତ୍ୟୁ ଘଟିଥିଲା । ଏବେ ମଧ୍ୟ ୧୨ ଜଣ ଏମ୍‌କେସିଜି ମେଡିକାଲ୍‌ରେ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କ ଭିତରେ ୪ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି ।

ଦୁଇ ଦିନ ତଳେ ଚିକିଟି ଜେନାପୁର ଗାଁର ଜୁର ବେହେରା ଓ ଲୋକନାଥ ବେହେରା ସାଙ୍ଗ ହୋଇ ମଦ ପିଇବାକୁ ଯାଇଥିଲେ । ମଦ ପିଇ ଘରକୁ ଆସିବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ । ସେମାନଙ୍କୁ ଚିକିଟି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା । ଉଭୟଙ୍କୁ ଭେଣ୍ଟିଲେଟର ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ଜୁର ବେହେରାଙ୍କ ମୃତ୍ୟୁ ଘଟିଥିଲା । ଆଉ ଅପରାହ୍ନ ୩ଟାରେ ଲୋକନାଥ ବେହେରାଙ୍କ ମୃତ୍ୟୁ ଘଟିଥିଛି ।

ଏମ୍‌କେସିଜିରେ ଭର୍ତ୍ତିରେ ଭର୍ତ୍ତି ହୋଇଥିବା ୧୨ ଜଣଙ୍କ ଭିତରୁ ଏବେ ମଧ୍ୟରେ ୨ ଜଣ ଭେଣ୍ଟିଲେଟ୍‌ରରେ ରହିଛନ୍ତି । ଆଉ ୧୦ ଜଣଙ୍କ ଭିତରୁ ୬ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟୁନି । ତେଣୁ ସେମାନଙ୍କୁ ଆଇସିୟୁରେ ରଖାଯାଇଛି । ଯେ କୌଣସି ମୁହୂର୍ତ୍ତରେ ଭେଣ୍ଟିଲେଟ୍‌ରରେ ଭର୍ତ୍ତି କରାଯାଇପାରେ । ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଥିବା ବିଷାକ୍ତ ମଦ୍ୟପଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି । ମେଡ଼ିକାଲର ବରିଷ୍ଠ ଓ ଅଭିଜ୍ଞ ଚିକିତ୍ସକମାନେ ଚିକିତ୍ସା ସେବା ଯୋଗାଉଛନ୍ତି ।

ଚିକିଟି ଥାନା ମାଉନ୍ଦପୁର ଓ ଢିପସାହି ଗାଁରେ ଥିବା ଦେଶୀ ଭାଟିକୁ ଦୁଇ ଦିନ ମଦ ୨୧ ଜଣରୁ ଅଧିକ ଲୋକ ଅସୁସ୍ଥ ହୋଇଥିଲେ । ସେମାନଙ୍କୁ ଚିକିଟି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ଭିତରୁ ୧୪ ଜଣ ଗୁରୁତରଙ୍କୁ ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଏହି ଘଟଣାରେ ମଦ ମାଫିଆଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି ।