ରାଜ୍ୟସଭା ନିର୍ବାଚନ: ବିଜେପି ନେତା ଜଗନ୍ନାଥ ପ୍ରଧାନ ଭରିଲେ ନାମାଙ୍କନ


ଭୁବନେଶ୍ବର: ରାଜ୍ୟସଭା ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ଦଳ ପକ୍ଷରୁ ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇ ନଥିବା ବେଳେ ସେ ଆଜି କାହିଁକି ନାମାଙ୍କନ ଦାଖଲ କଲେ, ତାହା ଜଣାପଡ଼ି ନାହିଁ । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ମମତା ମହାନ୍ତ ମଧ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ବିଜେପି ବିଧାୟକଙ୍କ ଉପସ୍ଥିତିରେ ଜଗନ୍ନାଥ ପ୍ରଧାନ ନାମାଙ୍କନ ଦାଖଲ କରିଛନ୍ତି । ତାଙ୍କ ନାମାଙ୍କନରେ ୧୦ ଜଣ ବିଧାୟକ ପ୍ରସ୍ତାବକ ପଡ଼ିଛନ୍ତି । ଗୋଟିଏ ସେଟ୍‌ ନାମାଙ୍କନ ଭରିଛନ୍ତି ଜଗନ୍ନାଥ ପ୍ରଧାନ । ଅଗସ୍ତି ବେହେରା ପ୍ରଥମ ପ୍ରସ୍ତାବକ ପଡ଼ିଥିବା ବେଳେ ଦୁର୍ଗା ପ୍ରସାଦ ନାୟକ, ଦୁଷ୍ମନ୍ତ ସ୍ୱାଇଁ, ମନୋରଞ୍ଜନ ଡ୍ୟାନ ସାମନ୍ତରାୟ, ଲକ୍ଷ୍ମଣ ବାଗ ପ୍ରସ୍ତାବକ ପଡ଼ିଛନ୍ତି ।

ସେପଟେ ମଙ୍ଗଳବାର ରାଜ୍ୟସଭା ପାଇଁ କୁଡୁମୀ ସମ୍ପ୍ରଦାୟର ନେତ୍ରୀ ମମତା ମହାନ୍ତଙ୍କୁ ବିଜେପି ପ୍ରାର୍ଥୀ କରିଥିଲା । ଆଜି ସେ ନାମାଙ୍କନ ଦାଖଲ କରିଛନ୍ତି । ପ୍ରାର୍ଥିପତ୍ର ଦାଖଲେ ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜୟ ସିଂହ ତୋମାରଙ୍କ ପରି ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ ।

ମମତା ମହାନ୍ତ ହେଉଛନ୍ତି କୁଡ଼ୁମୀ ସଂପ୍ରଦାୟର ଜଣେ ଟାଣୁଆ ଓ ଶିକ୍ଷିତ ନେତ୍ରୀ । ମମତା ୨୦୨୦ ମସିହା ଏପ୍ରିଲ ୩ ତାରିଖରେ ବିଜେଡି ତରଫରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ହେଲେ ସାଧାରଣ ନିର୍ବାଚନ ପରେ ପରେ ସେ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିଲେ । ଇସ୍ତଫା ଦେବା ବେଳେ ବିଜେଡି ବିରୋଧରେ ଅସନ୍ତୋଷ ଝାଡିଥିଲେ । ପରେ ସେ ବିଜେପିରେ ସାମିଲ୍‌ ହୋଇଥିଲେ ।

ତେବେ ଓଡ଼ିଶାରେ ଗୋଟିଏ ରାଜ୍ୟସଭା ଆସନ ପାଇଁ ଭୋଟ ହେବାକୁ ଥିବା ବେଳେ ଦୁଇଜଣ ପ୍ରାର୍ଥିପତ୍ର ଦାଖଲ କରିବା ପ୍ରଶ୍ନବାଚୀ ଛିଡ଼ା କରିଛି । ଉଭୟଙ୍କ ପ୍ରାର୍ଥିପତ୍ର ଦାଖଲରେ ଦଳର ତୁଙ୍ଗ ନେତା ଉପସ୍ଥିତ ଅଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏନେଇ ଦଳ ପକ୍ଷରୁ କୌଣସି ସ୍ପଷ୍ଟିକରଣ ଦିଆଯାଇନାହିଁ ।