ବନ୍ଦ ହୋଇନି ‘ବିଜୁ ଗ୍ରାମ୍ୟଜ୍ୟୋତି ଯୋଜନା’, ସେପ୍ଟେମ୍ବର ସୁଦ୍ଧା ସବୁ ଘରକୁ ବିଜୁଳି ସଂଯୋଗ


ଭୁବନେଶ୍ବର: ଗରିବଙ୍କୁ ବିଜୁଳି ଦେବାକୁ ରାଜ୍ୟ ସରକାରଙ୍କ ବିଜୁ ଗ୍ରାମ୍ୟଜ୍ୟୋତି ଯୋଜନା ଏବେ ବି ଚାଲିଛି । ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟର ସବୁ ଘରକୁ ବିଦ୍ୟୁତ ସଂଯୋଗ କରାଯିବ । ଏନେଇ ସୂଚନା ଦେଇଛନ୍ତି ଶକ୍ତିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ।

ଆଜି ବିଧାନସଭାରେ ବିଧାୟକ ପବିତ୍ର ସାଉଁନ୍ତା ଓ ଗଣେଶ୍ୱର ବେହେରାଙ୍କ ଦୁଇଟି ଭିନ୍ନ ଭିନ୍ନ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ବିଦ୍ୟୁତ ସଂଯୋଗ ପାଇ ନଥିବା ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ବିଦ୍ୟୁତିକରଣ ପାଇଁ ବିଭିନ୍ନ ଡିସକମ୍ କମ୍ପାନୀକୁ ୪୧୫ କୋଟି ଟଙ୍କା ଦିଆଯାଇଛି । ସେହି ବାସଗୃହଗୁଡ଼ିକରେ ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା ବିଦ୍ୟୁତ ସଂଯୋଗ ଯୋଗାଇ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

ସେହିପରି ରାଜ୍ୟରେ ଗରିବ ଓ ଅସହାୟ ପରିବାରକୁ ମାଗଣାରେ ବିଦ୍ୟୁତ ଯୋଗାଣ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ‘ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା’ ବନ୍ଦ ହୋଇନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ଏହି ଯୋଜନାରେ ବିଦ୍ୟୁତିକରଣରୁ ବଞ୍ଚିତ ବାସଗୃହକୁ ବିଦ୍ୟୁତ ସଂଯୋଗ ଦିଆଯାଉଛି ।

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ବିଜୁ ଓ ନବୀନଙ୍କ ନାଁରେ ପରିଚାଳିତ ବିଭିନ୍ନ ଯୋଜନାକୁ ବନ୍ଦ କରିଦେଇଛନ୍ତି । ତେବେ ନବୀନ ପଟ୍ଟନାୟକ ସରକାର ଦ୍ୱାରା ଆରମ୍ଭ ହୋଇଥିବା ବିଜୁ ଗ୍ରାମ୍ୟଜ୍ୟୋତି ଯୋଜନା ଏବେବି କାର୍ଯ୍ୟକ୍ଷମ ଥିବା ମନ୍ତ୍ରୀ ସିଂହଦେଓ କହିଛନ୍ତି ।