ନକଲି ମାଓବାଦୀ ଗିରଫ, ଦୋକାନୀଙ୍କ ପାଖରୁ ଆଦାୟ କରୁଥିଲା ବଟି


ମାଲକାନଗିରି: ମାଓବାଦୀ ପରିଚୟ ଦେଇ ଦୋକାନୀଙ୍କୁ ଧମକାଇ ପୋଲିସ ହାତରେ ଧରାପଡ଼ିଲା ନକଲି ନକ୍ସଲ । ମାଲକାନଗିରି ପୋଲିସ ଏମିତି ଜଣେ ନକଲି ନକ୍ସଲକୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଲେ ସନ୍ତୋଷ କୁମାର ମହାନ୍ତି ଓରଫ ପିଣ୍ଟୁ । ତା’ ଘର ଖୋର୍ଦ୍ଧା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁରେ । ନିଜକୁ ନକ୍ସଲ କମାଣ୍ଡର ଆର. ରାଜେଶ୍ୱର ଟାରାଲ ପରିଚୟ ଦେଇ ଜିଲ୍ଲାର ବହୁ ଦୋକାନୀଙ୍କୁ ଫୋନ୍ କରି ଧମକ ଦେଇ ଟଙ୍କା ମାଗୁଥିଲା । ଟଙ୍କା ନ ଦେଲେ ହତ୍ୟା କରି ଦେବ ବୋଲି ଧମକାଉଥିବା ଅଭିଯୋଗ ହୋଇଥିଲା ।

ଅଗଷ୍ଟ ୯ ତାରିଖରେ କୋରକୋଣ୍ଡା ବ୍ଲକର ଏମଭି-୧୦୦ ଗ୍ରାମର ଅନୀଲ ବରକନ୍ଦଜଙ୍କ ନିକଟକୁ ଏକ କଲ୍ ଆସିଥିଲା । ନିଜକୁ ନକ୍ସଲ କମାଣ୍ଡର ଆର.ରାଜେଶ୍ୱର ଟାରାଲ ବୋଲି ପରିଚୟ ଦେଇ ସନ୍ତୋଷ ତାଙ୍କୁ ୨ ହଜାର ଟଙ୍କା ମାଗିଥିଲା । ଗତ ଏପ୍ରିଲ ୪ ତାରିଖରେ ମଧ୍ୟ ଆଉ ଏକ ନମ୍ବରରୁ ହ୍ୱାଟସ୍‌ଆପ୍ ଜରିଆରେ ସେ ୫ ହଜାର ଟଙ୍କା ମାଗିଥିଲା । ଏନେଇ ମାଲକାନଗିରି ସଦର ଥାନାରେ ଏତଲା ଦିଆଯିବା ପରେ ପୋଲିସ ତଦନ୍ତ କରି ସନ୍ତୋଷକୁ ଗିରଫ କରିଛି ।

ମାଲକାନଗିରି ଜିଲ୍ଲାରେ ଏପରି କରି ସନ୍ତୋଷ କୁମାର ମହାନ୍ତି ଏକ ଲକ୍ଷରୁ ଅଧିକ ଟଙ୍କା ଏକାଧିକ ଲୋକଙ୍କଠାରୁ ଲୁଟି ଥିବା ଜଣାପଡ଼ିଛି । ପୋଲିସ ସନ୍ତୋଷକୁ ଗିରଫ କରିବା ପରେ ତା’ଠାରୁ ୩ଟି ମୋବାଇଲ, ଗୋଟିଏ ସିମ କାର୍ଡ, ୩ଟି ଏଟିଏମ କାର୍ଡ ଓ ଗୋଟିଏ ମେମୋରି କାର୍ଡ ଜବତ କରିଥିବା ନେଇ ମାଲକାନଗିରି ଏସଡିପିଓ ସଚିନ ପଟେଲ କହିଛନ୍ତି ।