ପୁରୀ: ପୂର୍ବରୁ ଶ୍ରୀମନ୍ଦିରର ଉଭୟ ଭିତର ସ ବାହାର ରତ୍ନଭଣ୍ଡାରରୁ ଅଳଙ୍କାର କଢ଼ା ସରିଥିବା ବେଳେ ଗତକାଲି ଖାଲି ଆଲମିରା ଓ ସିନ୍ଦୁକକୁ ବାହାର କରାଯାଇଛି । ଏହାପରେ ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ପାଇଁ ASI ଡିଜିଙ୍କୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଶ୍ରୀଘ ASI ତରଫରୁ ଯାଞ୍ଚ କାର୍ଯ୍ୟ ସମ୍ପନ୍ନ କରି ମରାମତି କରିବାକୁ ଚିଠିରେ ସେ ଉଲ୍ଲେଖ କରିଛନ୍ତି ।
ଉନ୍ନତ ଅନୁଷ୍ଠାନ ଯଥା IIT ବିଶେଷଜ୍ଞ ଓ CBRI ବିଶେଷଜ୍ଞଙ୍କ ଦ୍ବାରା ଯାଞ୍ଚ ପାଇଁ ଅନୁରୋଧ କରାଯାଇଛି । ଏଥିନିମନ୍ତେ ଅତ୍ୟାଧୁନିକ ଯନ୍ତ୍ରପାତିରେ ଲେଜର ସ୍କାନିଂ ଓ GPRS ଭଳି ଅତ୍ୟାଧୁନିକ ଯାଞ୍ଚ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି । ଏଥିନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।
ଯାଞ୍ଚ ସମୟରେ ନୀତିକାନ୍ତି ବ୍ୟାଘାତ ନହେବା ପାଇଁ ଛତିଶା ନିଯୋଗ ଓ ପରିଚାଳନା କମିଟି ତରଫରୁ ନୀତିର ସାରଣୀ କରାଯିବ । ଯାଞ୍ଚ ଓ ମରାମତି ପାଇଁ ପୂର୍ବରୁ ଯେଉଁ SOP ପ୍ରସ୍ତୁତ କରାଯାଇଛି ସେହି କ୍ରମରେ ସମସ୍ତ କାର୍ଯ୍ୟ ସମ୍ପନ୍ନ କରାଯିବା ପାଇଁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ଗତକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରୁ ଖାଲି ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତରଣ ପ୍ରକ୍ରିୟା କାର୍ଯ୍ୟ ସମାପନ ହୋଇଛି । ରତ୍ନଭଣ୍ଡାର ଭିତରେ ଥିବା ଏକ ଲୁହା ସିନ୍ଦୁକ ବାହାର କରିବା ସମ୍ଭବ ନହେବାରୁ କବାଟ କଟାଯାଇଥିଲା । ବାହାର ରତ୍ନଭଣ୍ଡାର କାଠ କବାଟ କଟାଯାଇ ଉକ୍ତ ସିନ୍ଦୁକ ବାହାର କରାଗଲା । ସିନ୍ଦୁକ ବାହାର କରାଗଲା ପରେ ପୁଣି କବାଟ ମରାମତି ହୋଇଥିଲା । ସମସ୍ତ ସିନ୍ଦୁକ ଓ ଆଲମିରାକୁ ନିର୍ଦ୍ଧାରିତ କୋଠରୀରେ ରଖାଯାଇଛି । ଏବେ ଭିତର ଏବଂ ବାହାର ରତ୍ନଭଣ୍ଡାର ସଂପୂର୍ଣ୍ଣ ଖାଲି ହୋଇଯାଇଛି । ତେଣୁ ଏହାର ମରାମତି ନିମନ୍ତେ ASI ଡିଜିଙ୍କୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।