ଆରଜି କର ମେଡିକାଲରେ ଚାଲିଥିଲା ଦେହ ବ୍ୟବସାୟ: ଅଖତାର ni


କୋଲକାତା: ଆର୍‌ ଜି କର ମେଡିକାଲ କଲେଜକୁ ନେଇ ପ୍ରତିଦିନ କିଛି ନା କିଛି ନୂଆ ତଥ୍ୟ ପଦାକୁ ଆସୁଛି । ମେଡିକାଲ କଲେଜକୁ ନେଇ ଏବେ ସାମ୍ନାକୁ ଆସିଛି ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ । ଏହି ମେଡିକାଲ କଲେଜର ସେତେବେଳର ଡେପୁଟି ଅଧ୍ୟକ୍ଷ ଅଖତାର ଅଲ୍ଲୀ ଓଟିଭି କ୍ୟାମେରା ଆଗରେ ବଖାଣିଛନ୍ତି ତତ୍କାଳୀନ ଅଧକ୍ଷ ସନ୍ଦୀପ ଘୋଷଙ୍କ କଳା କାରନାମା ।
ତାଙ୍କ କହିବା ମୁତାବକ, ମେଡିକାଲ କଲେଜରେ ଚାଲୁଥିଲା ସେକ୍ସ ରାକେଟ୍ । ହଷ୍ଟେଲକୁ ବାହାରୁ ଯୁବତୀ ଆସୁଥିଲେ । ଏସବୁର ପ୍ରଚ୍ଛଦପଟ ନାୟକ ଥିଲେ ତତ୍କାଳୀନ ଅଧକ୍ଷ ସନ୍ଦୀପ ଘୋଷ । ସେତେବେଳର ଡେପୁଟି ଅଧକ୍ଷ ଅଖତର୍ ଅଲ୍ଲୀ ଗତବର୍ଷ ପ୍ରଥମେ ସନ୍ଦୀପ ଘୋଷଙ୍କ ଗୁମର ଖୋଲିଥିଲେ । ହେଲେ କିଛି ବଡ଼ ବଡିଆଙ୍କ ହାତ ସନ୍ଦୀପଙ୍କ ଉପରେ ଥିଲା, ତେଣୁ ତାଙ୍କୁ ସୁରକ୍ଷା ମିଳୁଥିଲା ।
ଅଖତାର ଆହୁରି କହିଛନ୍ତି, ହସ୍ପିଟାଲରେ ଅଙ୍ଗ ତସ୍କରୀ କରାଯାଏ । ବାୟୋ ୱେଷ୍ଟକୁ ବାଂଲାଦେଶ ଚାଲାଣ ଭଳି ଅନେକ କାମ ସନ୍ଦୀପ ଘୋଷ କରୁଥିଲେ । ଏହି ଅଙ୍ଗ ଚାଲାଣ କାମରେ ତାଙ୍କ ଝିଅ ମଧ୍ୟ ସାମିଲ ଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।
ସନ୍ଦୀପ ଘୋଷ ଆସିବା ପୂର୍ବରୁ ଆର୍‌ ଜି କର ପୂରା ଠିକ୍‌ ଚାଲିଥିଲା । ୨୦୨୧ ଜାନୁଆରୀରେ ସନ୍ଦୀପ ଆସିବା ପରେ ସବୁ ବଦଳିଗଲା । ପିଲାମାନଙ୍କୁ ଧମକ ଦେବା, ହଇରାଣ କରିବା ରିତିମତ ଚାଲିଲା । ନିର୍ଦ୍ଦିଷ୍ଟ କିଛି ଛାତ୍ରଙ୍କୁ ହାତରେ ରଖି ସେ ଏଠି ଅରାଜକତା ଚଳାଉ ଥିଲେ । ତାଙ୍କର କିଛି ବନ୍ଧୁ ଓ ନିର୍ଦ୍ଦିଷ୍ଟ ଛାତ୍ରଗୋଷ୍ଠୀ ଆର୍‌ ଜି କର ଗେଷ୍ଟହାଉସ୍‌କୁ ଝିଅ ଆଣି ଯୋଗାଇ ଦେଉଥିଲେ ।
ବହୁତ ଛାତ୍ରଛାତ୍ରୀଙ୍କ କ୍ୟାରିୟର ବରବାଦ କରିଦେଇଛନ୍ତି ସନ୍ଦୀପ । ଏସବୁ ଅଭିଯୋଗ ନେଇ ମୁଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲି । ହାଇକୋର୍ଟ ଆବେଦନ ଗ୍ରହଣ କରି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିବା ପୂର୍ବତନ ଡେପୁଟି ଅଧ୍ୟକ୍ଷ ଅଖତାର ଅଲ୍ଲୀ କହିଛନ୍ତି ।