ବୀରମହାରାଜପୁର (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପଞ୍ଚାୟତ ସମିତି ସଭା ଗୃହରେ ଆଜି ସମସ୍ତ ପଞ୍ଚାୟତ ର ଲକ୍ଷପତି ଦିଦି ଏବଂ ଗୋଷ୍ଠୀ ସହାୟିକା ଙ୍କୁ ସମ୍ମାନିତ କରିବା ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରବିବାର ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ଲୁହା ଙ୍କ ସମେତ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନାରାୟଣ ଲୁହା , ବଲାଙ୍ଗୀର ସାଂସଦ ପ୍ରତିନିଧି ଶ୍ରୀମତୀ ନଲିନୀ ପଣ୍ଡା , ପୂର୍ବତନ ଜିଲ୍ଲା ପରିଷଦ ସଭାନେତ୍ରୀ ଶ୍ରୀମତୀ ଉଷା କୁମାରୀ , ସରପଞ୍ଚ ଓ ପଞ୍ଚାୟତ ସମିତି ସଭ୍ୟ ସଭ୍ୟା , ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ର ଏମ ବି କେ ଓ ସଭାନେତ୍ରୀ ଉପସ୍ଥିତ ଥିଲେ । ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁରୁଷୋତ୍ତମ ଧରୁଆ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ରେ ୧୫ ଟି ପଞ୍ଚାୟତ ର ଲକ୍ଷପତି ଦିଦି ଓ ଗୋଷ୍ଠୀ ସହାୟିକା ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ସମସ୍ତ ଲକ୍ଷପତି ଦିଦି ମାନେ ନିଜ ନିଜ ସଫଳତା ର କାହାଣୀ ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥାପନ କରିଥିଲେ । ସୁବଳୟା ଗ୍ରାମ ବୌଦିଆ ପଡ଼ା ରାମଚନ୍ଦ୍ର ସ୍ବୟଂ ସହାୟିକା ଗୋଷ୍ଠୀ ର ଶ୍ରୀମତୀ ଅମ୍ବିକା ମେହେର ନାମକ ଜଣେ ସଭ୍ୟା ଙ୍କ ସଫଳତା ର କାହାଣୀ ସମସ୍ତ ଙ୍କ ମନ କୁ ଛୁଇଁ ପାରିଥିଲା । ଅମ୍ବିକା ମେହେର ଙ୍କ କହିବା ମୁତାବକ ପୂର୍ବ ରୁ ତାଙ୍କ ପରିବାର ର ଆର୍ଥିକ ପରିସ୍ଥିତି ସେତେଟା ସ୍ୱଚ୍ଛଳ ନ ଥିଲା , ପରେ ସ୍ଵଂୟ ସହାୟିକା ଗୋଷ୍ଠୀ ରେ ସାମିଲ ହେଲା ପରେ ତାଙ୍କ ଆର୍ଥିକ ପରିସ୍ଥିତି ରେ ଧୀରେ ଧୀରେ ପରିବର୍ତ୍ତନ ଆସିଥିଲା । ପ୍ରଥମେ ପଞ୍ଚାୟତ ସ୍ତରୀୟ ସଂଘ ପକ୍ଷରୁ ଋଣ ଆଣି ସେହି ଟଙ୍କା ରେ ଏକ ସିଲେଇ ମେସିନ୍ କିଣି ନିଜେ ଆତ୍ମ ନିର୍ଭରଶୀଳ ହୋଇଥିଲେ। ପରେ ତାଙ୍କ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ତାଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କଲା । ପ୍ରଥମେ ସୁବଳୟା ଗ୍ରାମ ରେ ରହି ସିଲେଇ କାମ ସହ ନିଜ ଘରେ ଏକ ବିଉଟି ପାର୍ଲର ଦେଇଥିଲେ ଏବଂ ଦୁଇ ପୁଅ ଙ୍କୁ ପାଠ ପଢ଼ାଇବା ପାଇଁ ସକ୍ଷମ ହୋଇଥିଲେ । ପରେ ବ୍ୟାଙ୍କ୍, ପଞ୍ଚାୟତ ସ୍ତରୀୟ ସଂଘ ରୁ ଋଣ ନେଇ ବିରମହାରାଜପୁର ରେ ରହି ୫ ଟି ସିଲେଇ ମେସିନ୍ ଓ ବିଉଟି ପାର୍ଲର ଖୋଲି ନିଜେ ଆତ୍ମ ନିର୍ଭରଶୀଳ ହେବା ସହ ୫ ଜଣ ଝିଅ ଙ୍କୁ ମଧ୍ୟ ରୋଜଗାର ଦେଇ ପାରିଛନ୍ତି। ତାଙ୍କ ବଡ ପୁଅ ବର୍ତ୍ତମାନ ଜଣେ ଡାକ୍ତର I ତେଣୁ ଜଣେ ସାଧାରଣ ଗୃହିଣୀ ରୁ ଆଜି ଡାକ୍ତର ଙ୍କ ମାଆ ଭାବରେ ପରିଚୟ ପାଇ ନିଜକୁ ଗର୍ବିତ ମନେ କରିଛନ୍ତି ଅମ୍ବିକା । ତେଣୁ ଓଡ଼ିଶା ଜୀବିକା ମିଶନ ତଥା ବ୍ଲକ୍ ପ୍ରଶାସନ ର ସହାୟତା ରେ ସରକାରୀ ସ୍ତର ରୁ ଋଣ ଓ ଅନ୍ୟାନ୍ୟ ସହାୟତା ପାଇ ହଜାର ହଜାର ମହିଳା ଆଜି ସ୍ବାବଲମ୍ବୀ ହେବା ସହ ସଫଳତା ର ନା ଲେଖି ପାରିଛନ୍ତି। ଘର ଭିତରେ ବାନ୍ଧି ନ ହୋଇ ନିଜେ ସ୍ବାବଲମ୍ବୀ ହେବାର ବାଟ ଖୋଜି ପାରିଛନ୍ତି ଏବଂ ସାମାଜିକ ପରିବର୍ତ୍ତନ ର ବାର୍ତ୍ତାଵହ ପାଲଟିଛନ୍ତି ନାରୀଶକ୍ତି। ଓଡ଼ିଶା ଜୀବିକା ମିଶନ ର ସମସ୍ତ କର୍ମକର୍ତ୍ତା ଙ୍କ ସହାୟତା ରେ ଉକ୍ତ କାର୍ଯ୍ୟକ୍ରମ ଟି ସୁଚାରୁ ରୁପେ ଚାଲିଥିଲା । ଶେଷରେ ଓଡ଼ିଶା ଜୀବିକା ମିଶନ ର ଗୋଷ୍ଠୀ ପ୍ରକଳ୍ପ ଅଧିକାରୀ ବି ପି ଏମ ମନୋଜ କୁମାର ବାଘ୍ ଧନ୍ୟବାଦ୍ ଅର୍ପଣ କରିଥିଲେ।