ଅନଲାଇନ ଜୁଆ ଦମନ୍ ନିଶାରେ ବୀରମହାରାଜପୁର ଉପଖଣ୍ଡ ର ଯୁବପିଢି


ବୀରମହାରାଜପୁର : (ସୌମିତ୍ରି ମେହେର) ରାତାରାତି କୋଟିପତି ହେବା ନିଶାରେ ଅନଲାଇନ ଗେମ୍ ପ୍ରତି ଯୁବ ପିଢି ଏବେ ଆକର୍ଷିତ ହେଉଛନ୍ତି । କଲେଜ ଛାତ୍ରଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ, ଚାକିରିଆଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କୁ ଏହା ଗ୍ରାସ କରି ସାରିଛି । ମାତ୍ର ପର୍ଯ୍ୟାୟକ୍ରମେ ଅନେକଙ୍କ ପାଇଁ ଏହା କାଳ ସାଜୁଥିବା ଉଦାହରଣ ଦେଖିବାକୁ ମିଳୁଛି । କୋଟି କୋଟି ଟଙ୍କାର ମୁନାଭା ଆଶାରେ ଜୀବନର ସମସ୍ତ ପୁଞ୍ଜି ଅନଲାଇନ ଜୁଆରେ ବିନିଯୋଗ କରାଯାଉଛି । କାଁ ଭାଁ ଜଣେ ଦୁଇ ଜଣ ଏଥିରୁ ଲାଭବାନ ହେଉଥିବା ବେଳେ ପ୍ରାୟ ଶତ ପ୍ରତିଶତ ଲକ୍ଷ ଲକ୍ଷ ଟଙ୍କା ହରାଇ ମାନସିକ ଚାପଗ୍ରସ୍ତ ହୋଇ ପଡୁଥିବା ଦେଖାଯାଉଛି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଅଂଚଳର ଅନେକ ଯୁବ ପିଢି ଅନଲାଇନ ଜୁଆ ‘ଦମନ୍‌’ ଖେଳି ସର୍ବସ୍ୱ ହରାଇ ବସୁଛନ୍ତି । ବିଶେଷ କରି ୨୦ ରୁ ୪୦ ବର୍ଷର ଯୁବକ ଏହାର ଶିକାର ପାଲଟିଛନ୍ତି । ଏହି ଅଂଚଳରେ ଅନଲାଇନ ଜୁଆ ‘ଦମନ୍‌’ ପ୍ରତି ଆକର୍ଷିତ କରିବା ପାଇଁ କିଛି ଯୁବକ ମାଷ୍ଟର ମାଇଣ୍ଡ ସାଜିଛନ୍ତି । ସେମାନେ ନିରିହ ଯୁବକ ମାନଙ୍କୁ ଫଶାଇ ‘ଦମନ୍‌’ ଆପ୍ ର ଲିଙ୍କ ଦେବା ସହ ଅଳ୍ପ ପୁଞ୍ଜି ନିବେଶ କରି ଲକ୍ଷପତି ହେବାର ସ୍ୱପ୍ନ ଦେଖାଉଛନ୍ତି । କାରଣ ‘ଦମନ୍‌’ ଖେଳୁଥିବା ବ୍ୟକ୍ତି ଯେତେ ଟଙ୍କା ହାରିବ ତାର କିଛି ପ୍ରତିଶତ ଲିଙ୍କ ସେୟାର କରିଥିବା ବ୍ୟକ୍ତିର ଏକାଉଂଟକୁ ଆସିବ । ଫଳରେ ଅନଲାଇନ ଜୁଆ ‘ଦମନ୍‌’ ବ୍ୟବହାର କାରୀଙ୍କ ସଂଖ୍ୟା ଉଲୁଣ୍ଡା ଅଂଚଳରେ ଦିନକୁ ଦିନ ବଢି ଚାଲିଛି । ଅନଲାଇନ ଜୁଆ ‘ଦମନ୍‌’ ଖେଳରେ ସର୍ବସ୍ୱ ହରାଇ କିଛି ଯୁବକ ନିଜ ବ୍ୟବସାୟ ବୁଡାଇ ସାରିଛନ୍ତି । ଆଉ କିଛି ଯୁବକ ପୈତୃକ ଜମି ବିକ୍ରି କରି ପରିବାରରେ ଅସନ୍ତୋଷ ବଢାଉଛନ୍ତି । ବିଶେଷ କରି ‘ଦମନ୍‌’ ପାଇଁ ବୀରମହାରାଜପୁର ଉପଖଣ୍ଡ ଅଂଚଳରେ ଏବେ ଅପରାଧ ସଂଖ୍ୟା ବଢିବାରେ ଲାଗିଛି । ଅନଲାଇନ ଜୁଆରେ ସର୍ବସ୍ୱ ହରାଇ ସାରିବା ପରେ ଚୋରି , ଡକାୟତି, ଲୁଟପାଟ ଭଳି ଅପରାଧରେ କିଛି ଯୁବକ ସାମିଲ ହେଉଛନ୍ତି । ସେହିପରି କିଛି ଯୁବକ ମଦ , କଫସିରଫ ବ୍ୟବହାର କରି ନିଶାଖୋର ଅବସ୍ଥାରେ ବୁଲାବୁଲି କରୁଛନ୍ତି । ରୋଜଗାରିଆ ପୁଅ ଅନଲାଇନ ଜୁଆରେ ବୁଡି ଯାଉଥିବାରୁ ପରିବାର ଭିତରେ ଅସନ୍ତୋଷ ଏବଂ କଳହ ବଢିବାରେ ଲାଗିଛି । ଆଗକୁ ଏହା ଜାରି ରହିଲେ କେତେ ଯେ ଯୁବକଙ୍କ ସୁନେଳୀ ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଯିବ ତାକୁ ନେଇ ସାଧାରଣରେ ଆଶଙ୍କା ବଢିବାରେ ଲାଗିଛି । ତେବେ ପୁଲିସ ଏବଂ ପ୍ରଶାସନ ଏଥିପ୍ରତି ସଜାଗ ହୋଇ ଏଭଳି ଅପରାଧିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଜନସାଧାରଣଙ୍କୁ ସଚେତନ କରିବାର ଆବଶ୍ୟକତା ରହିଥିବା ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।