Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିକାରୀଙ୍କ ବିଦ୍ୟୁତ ବାରହା ଫାସରେ ଯାଉଛି ଜୀବନ ବାରହା ଫାସରେ ଲାଗି ପୁଣି ୩ ମଇଁଷି ମୃତ

ଝାରସୁଗୁଡା ୨୮/୮ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ବେଳପାହାଡ଼ ଫରେଷ୍ଟ ରେଞ୍ଜ ଅଧିନସ୍ଥ କନକତୋରା ଫରେଷ୍ଟ ସେକ୍ସନ ଅଞ୍ଚଳରେ ବିଦ୍ୟୁତ ସଂଯୋଗ କରି ଜଙ୍ଗଲୀ ବାରହା ଶିକାର କରିବା ଦିନକୁ ଦିନ ବୃଦ୍ଧି ପାଉଛି ପଛକେ ଥମିବାର ନାଁ ଧରୁନି । କନକତୋରା ଫରେଷ୍ଟ ସେକ୍ସନ ଚାରପାଲି ପଞ୍ଚାୟତ ଅନ୍ତର୍ଗତ ସରେଇପାଲି ଗାଁରେ ବିଦ୍ୟୁତ ବାରହା ଫାସରେ ଛନ୍ଦି ହୋଇ ଛତିଶଗଡ଼ ଅଞ୍ଚଳର ଜଣେ ନାବାଳକ ମୃତ୍ୟୁ ବରଣ ଘଟଣାର ସପ୍ତାହେ ନ ପୁରୁଣୁ ପୁଣି ଜଙ୍ଗଲୀ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ଫାସ ସଂସ୍ପର୍ଶରେ ଆସି ତିନିଗୋଟି ମଇଁଷି ମୃତ୍ୟୁ ବରଣ କରିଛନ୍ତି ।
ସୂଚନା ମତେ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅଧିନସ୍ଥ କନକତୋରା ପୁଲିସ ବିଟ ହାଉସ ଅନ୍ତର୍ଗତ ଝାରଗାଁ ଗ୍ରାମ ନିକଟରେ ଜଙ୍ଗଲୀ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ଫାସ ସଂସ୍ପର୍ଶରେ ଆସି ସୋମବାର ବିଳମ୍ବିତ ରାତିରେ ତିନିଗୋଟି ମଇଁଷିର ମୃତ୍ୟୁ ହୋଇଛି । ଖବର ପାଇ ରେଙ୍ଗାଲି ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗାଙ୍କ ନିର୍ଦ୍ଦେଶ କ୍ରମେ କନକତୋରା ପୁଲିସ ବିଟ ହାଉସ ଅଧିକାରୀ ରମେଶ କୁମାର ଭଇଁସାଲ ଘଟଣା ସ୍ଥଳରେ ପହଞ୍ଚି ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ଜେଇ ତାର ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲେ । ପଞ୍ଚଗାଁ ସେକ୍ସନ ବିଦ୍ୟୁତ ବିଭାଗୀୟ ଅଧିକାରୀ ସତ୍ୟଜିତ ନାଥଙ୍କ ଲିଖିତ ଅଭିଯୋଗ ଅନୁସାରେ ଥାନାରେ ଏକ ମାମଲା ରୁଜୁ କରିବା ସହ ସନ୍ଦେହରେ ଦୁଇଜଣଙ୍କୁ ଥାନାରେ ଅଟକ ରଖି ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଥିବା ରେଙ୍ଗାଲି ଥାନା ଅଧିକାରୀ ଶ୍ରୀ ଦୁର୍ଗା ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ କନକତୋରା ପଞ୍ଚାୟତ ଅନ୍ତର୍ଗତ ଝାରଗାଁ ଗ୍ରାମର କୋପଢୁଡ଼ି ଢ଼ିପା ସ୍ଥାନରେ ଥିବା ପଡ଼ିଆ ଜମିରେ ସେହି ଗ୍ରାମର ଅର୍ଜୁନ ବୋଡେ଼କ ଚିନାବାଦାମ ଚାଷ କରିଛନ୍ତି । କିନ୍ତୁ ବିଳମ୍ବିତ ରାତିରେ ସେହି ଚିନାବାଦାମ ଚାଷ ଜମିରେ ଜଙ୍ଗଲୀ ବାରହା ଶିକାର ନିମନ୍ତେ ଦୁର୍ବୁତ୍ତ ମାନେ ବିଦ୍ୟୁତ ସଂଯୋଗ କରି ବିଛାଇ ଥିବା ବାରହା ଫାସ ସଂସ୍ପର୍ଶରେ ଆସି ତୋନୋଟି ମଇଁଷି ମୃତ୍ୟୁ ହୋଇଥିଲା । ଉକ୍ତ ମଇଁଷି ମାନେ ବିଦ୍ୟୁତ ସଂସ୍ପର୍ଶରେ ଆସିବା କ୍ଷଣି ଅଞ୍ଚଳରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଭାବେ ଠପ ହୋଇ ଯାଇଥିଲା । କେଉଁ କାରଣରୁ ହଠାତ ବିଦ୍ୟୁତ ସେବା ବନ୍ଦ ହେଲା ବିଭାଗୀୟ କର୍ମଚାରୀ ମାନେ ବିଭିନ୍ନ ସ୍ଥାନକୁ ଯାଇ ନିରୀକ୍ଷଣ କରିବା ସମୟରେ ଘଟଣା ସମ୍ପର୍କରେ ଜାଣି ରେଙ୍ଗାଲି ଥାନାକୁ ଖବର ଦେଇଥିଲେ ।
ପ୍ରକାଶ ଥାଉକି କନକତୋରା ଫରେଷ୍ଟ ସେକ୍ସନ ଅଞ୍ଚଳରେ ବିଦ୍ୟୁତ ବାରହା ଫାସରେ ଛନ୍ଦି ହୋଇ ଅନେକ ନିରୀହ ଲୋକଙ୍କ ଧନ ଜୀବନ ଚାଲି ଯାଉଥିବା ସତ୍ବେ ବନ ବିଭାଗ ପକ୍ଷରୁ ସେପରି କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ସାଧାରଣରେ ଅଭିଯୋଗ ହେଉଛି । ପ୍ରାୟ ଗାଁ ମାନଙ୍କରେ ବିଭାଗ ତରଫରୁ ଗଠିତ ବନ ସୁରକ୍ଷା ସମିତି ମାଧ୍ୟମରେ ବିଭିନ୍ନ ପ୍ରକାର ଉନ୍ନୟନ କାର୍ଯ୍ୟ କରା ଯାଉଛି । ଅଥଚ ଅବାଧ ଭାବେ କରା ଯାଉଥିବା ବାରହା ଶିକାର ସମ୍ପର୍କରେ ଅଞ୍ଚଳରେ କୌଣସି ଜନ ସଚେତନତା କାର୍ଯ୍ୟକ୍ରମ କରା ଯାଉନଥିବା ଅଭିଯୋଗ ହେଉଛି । ତେଣୁ ଏହାକୁ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ଉଚିତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ