ପବିତ୍ର ମହାନନ୍ଦଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ସରକାରୀ ଆର୍ଥିକ ସାହାଯ୍ୟ ଅପେକ୍ଷାରେ ପରିବାର


ଝାରସୁଗୁଡା ୨୮/୮ (ଓଡ଼ିଶା ନ୍ୟୁଜ) ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପବିତ୍ର ମହାନନ୍ଦଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନ ଥିବା ଯୋଗୁଁ ରୋଗଣା ସ୍ବାମୀଙ୍କ ଅଧିକ ଚିକିତ୍ସା ନିମନ୍ତେ ଅସହାୟ ସ୍ତ୍ରୀ କୁ ବାର ଦୁଆର ଶୁଣ୍ଡିପିଣ୍ଡା ହୋଇ ସବୁଠାରୁ ନିରାଶ ହେବା ପରେ ବର୍ତ୍ତମାନ କେବଳ ସରକାରଙ୍କ ଆର୍ଥିକ ସହାୟତାକୁ ଚାତକ ପରି ଚାହିଁ ରହିଛନ୍ତି ପରିବାର । ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଜାମଗାଁ ପଞ୍ଚାୟତ ଅନ୍ତର୍ଗତ ଜାମଗାଁ ଗ୍ରାମରେ ।
ସୂଚନା ଅନୁଯାୟୀ ଜାମଗାଁ ଗ୍ରାମରେ ସ୍ଥାୟୀ ଭାବେ ୫ ପ୍ରାଣୀ କୁଟୁମ୍ବ ସହ ବସବାସ କରି ଆସୁଛନ୍ତି ସ୍ବର୍ଗତ ଯୁଗେଶର ମହାନନ୍ଦଙ୍କ ୪୩ ବର୍ଷୀୟ ପୁଅ ପବିତ୍ର ମହାନନ୍ଦ । ତାଙ୍କ ପରିବାର କହିଲେ ସ୍ତ୍ରୀ ପ୍ରତିମା, ବଡ଼ ପୁଅ ଦୀପକ (୧୯),ମଝିଆଁ ଝିଅ ପ୍ରିୟଙ୍କା (୧୫) ଏବଂ ସବା ସାନ ଝିଅ ପ୍ରତିଭା (୧୦) । ୨୦୧୧/୧୨ ମସିହାରେ ପବିତ୍ର ମହାନନ୍ଦ ଜାମଗାଁ ପଞ୍ଚାୟତରେ ଜିଆରଏସ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ୨୦୧୭ ମସିହା ସେପ୍ଟେମ୍ବର ମାସରେ ପଦୋନ୍ନତି ପାଇ ଝାରସୁଗୁଡା ବ୍ଲକ ଗୌରମାଲ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ ଯୋଗଦାନ କରିଥିଲେ । ସେଥିରୁ ଯେଉଁ ଦରମା ଗଣ୍ଡାକ ମିଳେ ସେଥିରେ ପିଲାଛୁଆଙ୍କ ପାଠପଢା ଓ ଘର ଯାବତୀୟ ଖର୍ଚ୍ଚ ସହ ହସଖୁସିରେ ପରିବାର ଚଳି ଯାଉଥିଲା । କିନ୍ତୁ ବିଧିର ବିଧାନ ବଡ଼ ବିଚିତ୍ର । ସେମାନଙ୍କ ହସଖୁସିର ସଂସାର ନିମିଷକେ ଉଭେଇ ଗଲା । ୨୦୨୦ ମସିହାରେ ସେ ଅସୁସ୍ଥତା ଅନୁଭବ କରିବା ଯୋଗୁଁ ଝାରସୁଗୁଡା, ବୁର୍ଲା ଆଦି ଡାକ୍ତରଖାନାକୁ ଯାଇ ଡାକ୍ତର ମାନଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରୁଥିଲେ । ମାତ୍ର ସେତେବେଳେ ମହାମାରୀ କରୋନା କଟକଣା ଜାରି ରହିଥିବା ଯୋଗୁଁ ଠିକ ଭାବେ ଚିକିତ୍ସା ହୋଇ ପାରିନଥିଲା । ଯାହା ଫଳରେ ରୋଗ କମିବା ପରିବର୍ତ୍ତେ ଧୀରେ ଧୀରେ ବଢ଼ି ସେ
ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ହେବା ପରେ ତାଙ୍କର ବ୍ରେନ ଷ୍ଟୋକ ହୋଇ ଗୋଡ଼ ହାତ ମଧ୍ୟ ଠିକ ଭାବେ କାମ କରୁନଥିଲା । ତେଣୁ ସାହି ପଡ଼ିଶା ବନ୍ଧୁବାନ୍ଧବଙ୍କ ଠାରୁ ଧାର କରଜ ଆଣିବା ସହ ଘରେ ଯାହା ସମ୍ବଳ ଥିଲା ସେଥିରେ ସ୍ବାମୀଙ୍କ ଚିକିତ୍ସାରେ ଖର୍ଚ୍ଚ କରି ବର୍ତ୍ତମାନ ସର୍ବସାନ୍ତ ହୋଇ ଯାଇଥିବା ତାଙ୍କ ସ୍ତ୍ରୀ ପ୍ରତିମା ଦୁଃଖଭରା କଣ୍ଠରେ ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦୀର୍ଘ ୨୦୨୦ ମସିହାରୁ ତାଙ୍କ ସ୍ବାମୀ ଦରମା ପାଉ ନାହାଁନ୍ତି । ଏ ସମ୍ପର୍କରେ ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ସ୍ବାମୀଙ୍କ ଦରମା ଟିକକ ପାଇଁ ଅନେକ ଥର କାକୁତି ମିନତି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଓଲଟା କହିଲେ ଯେ ତମ ସ୍ବାମୀ କାର୍ଯ୍ୟରେ ଯୋଗ ନ ଦେବା ପର୍ଯ୍ୟନ୍ତ ତାଙ୍କ ଦରମା ଟଙ୍କା ମିଳିବ ନାହିଁ ବୋଲି ସରକାରୀ ବାବୁ ମାନେ ରୋକଠୋକ ମନା କରି ଦେଇଥିଲେ । କିନ୍ତୁ ସ୍ବାମୀଙ୍କ ଅବସ୍ଥା ଅତି ଶୋଚନୀୟ ରହିଥିବା ଯୋଗୁଁ ନିଜ ଗାଁ ଜାମଗାଁ ଠାରୁ ଦୀର୍ଘ ୫୦ କିମି ଦୂରରେ ରହିଥିବା ଝାରସୁଗୁଡା ବ୍ଲକ ଗୌରମାଲ ପଞ୍ଚାୟତକୁ ଯାଇ ଅଫିସ କାର୍ଯ୍ୟ କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ । ତେଣୁ ଉଦାର ହୃଦୟ ସହ ଏଥିପ୍ରତି ସୁବିଚାର କରି ତାଙ୍କ ସ୍ୱାମୀଙ୍କ ଦରମା ଟଙ୍କା ପ୍ରଦାନ ସହ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ଠାରେ ଅସହାୟ। ସ୍ତ୍ରୀ ପ୍ରତିମା ଆକୁଳ ନିବେଦନ କରିଛନ୍ତି ।