ଭୁବନେଶ୍ବର: ପ୍ରେମରେ ବାଧା ସାଜିଥିଲା ପ୍ରେମିକର ଦାଦା । ବାରମ୍ବାର ଦେଉଥିଲା ଧମକ । ହେଲେ ଯୁବତୀଙ୍କୁ ଭୁଲି ପାରୁ ନଥିଲେ ଯୁବକ । ପ୍ରତିଶୋଧ ନେବାକୁ କରିନେଲେ ମନ ସ୍ଥିର । ଆଉ ବାଇକରେ ଯାଉଥିବା ପ୍ରେମିକାର ଦାଦାଙ୍କୁ ଖଣ୍ଡାରେ ପକାଇଲେ ଚୋଟ । ଚାହୁଁ ଚାହୁଁ ଶରୀରରୁ ଅଲଗା ହୋଇଗଲା ମୁଣ୍ଡ । ଏମିତି ଘଟଣା ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ବରରେ ଘଟିଛି । ଅଭିଯୁକ୍ତ ନାବାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ ।
ଖଣ୍ଡିଗିରି ଥାନା ଜଗନ୍ନାଥନଗର ଶୁକବିହାର ଅଞ୍ଚଳରେ ଗତ ରାତିରେ ଘଟିଥିବା ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ମୃତକ ହେଲେ ଜଗା ମଲ୍ଲିକ । ଏନେଇ ଖଣ୍ଡିଗିରି ଥାନାରେ ମାମଲା ରୁଜୁ ହୋଇଛି ।
ସୂଚନା ଅନୁସାରେ, ଜଗାଙ୍କ ଝିଆରୀଙ୍କ ସହ ଉକ୍ତ ସାହିର ଜଣେ ନାବାଳକଙ୍କ ପ୍ରେମ ସମ୍ପର୍କ ଥିଲା । ନାବାଳକ ଜଣକ ଯୁକ୍ତଦୁଇରେ ପଢୁଛନ୍ତି । ତେବେ ଏହି ପ୍ରେମକୁ ଜଗା ବିରୋଧ କରୁଥିଲେ । ଏପରିକି ଝିଆରୀ ଜୀବନରୁ ହଟି ଯିବାକୁ ଚେତାବନୀ ଦେଉଥିଲେ ।
ମାତ୍ର ନିଜ ପ୍ରେମକୁ ଭୁଲି ପାରୁ ନଥିବା ନାବାଳ କଜଣକ ରକ୍ତମୁଖା ପାଲଟି ଯାଇଥିଲେ । ଜଗାଙ୍କୁ ରାସ୍ତାରୁ ହଟାଇବାକୁ ସେ ଯୋଜନା କରିଥିଲେ । ଗତରାତିରେ ଜଗା ବାଇକରେ ଘରକୁ ଫେରୁଥିବା ବେଳେ ହାତରେ ଏକ ଖଣ୍ଡା ଧରି ଅନ୍ଧାରୁଆ ଜାଗାରେ ଲୁଚି ରହିଥିଲେ ନାବାଳକ । ଜଗା ଆସୁଥିବା ଦେଖି ସେ ଖଣ୍ଡାରେ ତାଙ୍କ ବେକକୁ ଏକ ଚୋଟ ପକାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଜଗାଙ୍କ ଶରୀରରୁ ମୁଣ୍ଡ ଅଲଗା ହୋଇ ଯାଇଥିଲା । ଏହାପରେ ତୁରନ୍ତ ନାବାଳକ ଜଣକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ ।
ରାସ୍ତା ଉପରେ ଜଗାଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଖଣ୍ଡଗିରି ପୋଲିସକୁ ଖବର ଦେଇଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ।
ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ପ୍ରାୟ ୨ ଘଣ୍ଟା ପରେ ପୋଲିସ୍ ଅଭିଯୁକ୍ତ ନାବାଳକଙ୍କୁ କାବୁ କରି ପଚରାଉଚରା କରୁଛି ।